
ମାଲକାନଗିରି, ୨୧ ଫେବୃଆରୀ (ହି.ସ.)-କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଈନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏକ ଶାଖା ଆଜି ପ୍ରତିଷ୍ଠା ହୋଇଛି । ଆଜିର ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଦାସ ସଭାପତିତ୍ବ କରିଥିଲା ବେଳେ ମାଲକାନଗିରି ଜିଲ୍ଲା ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଈ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଅଜୟ କୁମାର ମାଣ୍ଡାଙ୍ଗି, କୁଡୁମୁଲୁଗୁମ୍ମା ତହସିଲଦାର କ୍ରିଷ୍ଣ ଚନ୍ଦ୍ର ଦାସ, ଜିଲ୍ଲା ଏନ୍.ସି.ସି ନୋଡାଲ ଅଧିକାରୀ ଶୁଶାନ୍ତ ମାଝୀ ଓ ଗୈାରୀ ଶଙ୍କର ବେହେରା ପ୍ରମୁଖ ଯୋଗ ଦେଇଥିଲେ ଓ ମହାବିଦ୍ୟାଳୟର ଏନ୍ ସି ସି ପରିଚାଳକ ଜନ୍ କୋରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଭୋଈ କହିଥିଲେ ଯେ, ଆଜିର ଦିନଟି ଏହି ମହାବିଦ୍ୟାଳୟ ପାଇଁ ଏକ ଗୈାରବର ଦିନ କାରଣ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏକ ଶାଖା ଏହି ମହାବିଦ୍ୟାଳୟରେ ଶୁଭାରମ୍ଭ ହୋଇଯାଇଛି l ଏହି ସଙ୍ଗଠନଟି ସ୍ୱେଚ୍ଛାସେବୀ ଭିତ୍ତିରେ କାର୍ଯ୍ୟ କରେ ଏବଂ ଭାରତୀୟ ସେନା, ନୌସେନା ଓ ବାୟୁ ସେନାକୁ ନେଇ ଗଠିତ, ଏହା ଭାରତର ସର୍ବୋଚ୍ଚ ଯୁବ ସଂଗଠନ, ଯାହା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସାମରିକ ତାଲିମ ପ୍ରଦାନ, ଶୃଙ୍ଖଳା ଜ୍ଞାନ ଏବଂ ଯୁବ ନେତୃତ୍ୱ ଗୁଣର ଶିକ୍ଷା ଦେଇଥାଏ ଯାହା ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ସାହସ ଏବଂ ସେବା ମନୋଭାବ ବୃଦ୍ଧି କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ପ୍ରକାଶ ଥାଉକି, ଆଜି ସକାଳେ ଜିଲ୍ଲା ଏନ୍ ସି ସି ଅଧିକାରୀ ଶ୍ରୀ ମାଝୀ ଓ ପରିଚାଳକ ଶ୍ରୀ କୋରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଦୌଡ଼କୁଦ ପ୍ରତିଯୋଗିତା ମାଧ୍ୟମରେ ୩୧ ଜଣ ଛାତ୍ର ଓ ୧୬ ଜଣ ଛାତ୍ରୀ, ମୋଟ ୪୭ ଜଣ ଛାତ୍ରଛାତ୍ରୀ ଏହି ସଙ୍ଗଠନର ପ୍ରଥମ ଶିକ୍ଷାର୍ଥୀ ଭାବରେ ସାମିଲ ହୋଇଥିବା ଜଣାପଡିଛି l ଯାହା ପିଲାଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ଖେଳାଇ ଦେଇଛି ।
ଆଜିର ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ