
କେନ୍ଦ୍ରାପଡ଼ା,୨୧ ଫେବୃଆରୀ(ହି.ସ.) – ଜିଲ୍ଲାର ବରିଷ୍ଠ ବିଜେପି ନେତ୍ରୀ ତଥା ଦିଶା କମିଟି ସଦସ୍ୟା ଡ଼ଃ ଜ୍ୟୋସ୍ନାରାଣୀ ଜେନା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସାଂସଦ ଶ୍ରୀ ପଣ୍ଡାଙ୍କ ନିରନ୍ତର ଉଦ୍ୟମରେ କେନ୍ଦ୍ରାପଡା ରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ମଲଟି ସ୍ପେସିଆଲ ଦାତବ୍ୟ ଚିକିତ୍ସାଳୟ ସ୍ଥାପିତ ହେବାକୁ ଯାଉଛି। ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ଦାନପୁର ପଂଚାୟତ ରଜାଙ୍ଗ ଠାରେ ଆସନ୍ତା ସୋମବାର ଏହି ଚିକିତ୍ସାଳୟ ର ଶିଳାନ୍ୟାସ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ରେ ସାଂସଦ ଶ୍ରୀ ପଣ୍ଡା ସତ୍ୟସାଇ ସେବା ସଂସ୍ଥାର ମୁଖ୍ୟ ସ୍ୱାମୀଜୀ ମଧୁସୁଦନ ସାଇ ପ୍ରମୁଖ ଙ୍କ କର କମଳରେ ଏହି ଚିକିତ୍ସାଳୟର ଭୂମି ପୂଜନ କରାଯିବ। ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ପ୍ରାରମ୍ଭିକ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏଥିରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତ ଧରଣର ଚିକିତ୍ସା ସରଞ୍ଜାମ ସହ ବହୁ ବିଶିଷ୍ଟ ବିଶେଷଜ୍ଞ ଚିକିତ୍ସକ ମାନେ ଉପଲବ୍ଧ ହେବେ। ସମସ୍ତ ପ୍ରକାର ଉନ୍ନତ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ। ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ପୁରଣ ହେବାକୁ ଯାଉ ଥିବାରୁ ବରିଷ୍ଠ ବିଜେପି ନେତ୍ରୀ ଡ଼ଃ ଶ୍ରୀମତୀ ଜେନା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ସାଂସଦ ଶ୍ରୀ ପଣ୍ଡାଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟରେ ସାଂସଦଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି