
ଖୋର୍ଦ୍ଧା, ୨୧ ଫେବ୍ରୁଆରି (ହି.ସ.) - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ସଦର ଥାନା ଆଦର୍ଶ ବିଦ୍ୟାଳୟ ନିକଟ ଅନନ୍ତ ବରଛକଠାରେ ବ୍ରହ୍ମପୁରା ଗାଁର ୱାର୍ଡମେମ୍ବର ନବ ଜେନାଙ୍କୁ ଛୁରାମାଡ଼ ହୋଇଛି। ସ୍ଥାନୀୟ ଅଂଚଳର ମୁନା ଜେନା ନାମକ ଜଣେ ଯୁବକ ଏ କାଣ୍ଡ ଭିଆଇଥିବା କୁହାଯାଉଛି। ଏହି ଛୁରା ମାଡ଼ରେ ନବ ଜେନାଙ୍କର ମୁଣ୍ଡ, ହାତ ଓ ପିଠିରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି। ଖବର ପାଇ ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଛୁରା ମାଡ଼ ପଛରେ ଖଣି କାରବାର ଅନ୍ୟତମ କାରଣ ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ