
ଭୁବନେଶ୍ୱର, ୨୧ ଫେବୃଆରୀ (ହି.ସ.)- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଅଭିଲେଖ ସପ୍ତାହ ସମ୍ପାନ ସମାରୋହ ସହ ଏକ ପୁରାତନ ମାନଚିତ୍ରର ପ୍ରଦର୍ଶନୀ ଉଦ୍ଘାଟନ ହୋଇଯାଇଅଛି । ପ୍ରଦର୍ଶନୀଟି ଏକ ସପ୍ତାହ ପର୍ଯ୍ୟନ୍ତ ଗବେଷକ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ
ନିମନ୍ତେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରଫେସର ଇତିହାସ ବିଭାଗ, ଶିକ୍ଷା ଓ ଅନୁସନ୍ଧାନ, ଡିମ୍ଡ୍ ବିଶ୍ୱବିଦ୍ୟାଳୟ, ଡ.ପ୍ରଫୁଲ କୁମାର ମହାନ୍ତି । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍
ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର । ଉକ୍ତ ଆଲୋଚନା ଚକ୍ରରେ ଡ. ପ୍ରମୋଦ କୁମାର ମଣ୍ଡଳ, ଅର୍ଥ ପରାମର୍ଶଦାତା, ଶ୍ରୀ କିଶୋର ନାଏକ, ଉପ ନିର୍ଦ୍ଦେଶକ, ଦେବରାଜ ଅଧିକାରୀ, ଡ. ଅରବିନ୍ଦ ବୋଷ, ଡ. ସୁବାଷ ବାରିକ, ମାନବେନ୍ଦ୍ର ମିଶ୍ର, ମଞ୍ଜୁଳା ତ୍ରିପାଠୀ, ଗୌତମ ମହାନ୍ତି, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସମ୍ପାନର ମୁଖ୍ୟ ବକ୍ତା ଡ. ପ୍ରଫୁଲ କୁମାର ମହାନ୍ତି କହିଥିଲେ ଯେ ଇତିହାସ ସତ୍ୟ ଉପରେ ପର୍ଯ୍ୟବେସିତ । ଏହି ସତ୍ୟର ସନ୍ଧାନ ପାଇଁ ଐତିହାସିକ ତଥ୍ୟର ଏକାନ୍ତ ଆବଶ୍ୟକତା ରହିଛି । ଆଧୁନିକ ଭାରତ ଇତିିହାସର ଅଧ୍ୟୟନ ପାଇଁ ଅଭିଲେଖାଗାରୀୟ ଉପାଦାନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅଭିଲେଖାଗାର ତଥ୍ୟର ଗନ୍ତାଘର । ବିଶେଷକରି ସପ୍ତଦଶ, ଅଷ୍ଟାଦଶ, ଊନବିଂଶ ଓ ବିଂଶ ଶତାବ୍ଦୀର ଭାରତର ଇତିହାସ ଲେଖିବା ସମୟରେ ଗବେଷକମାନେ ଅଭିଲେଖାଗାରରୁ ସମସ୍ତ ତଥ୍ୟ ସଂଗ୍ରହ କରିଥାଆନ୍ତି । ମୁଖ୍ୟତଃ ଏଠାରେ ସରକାରୀ ଦସ୍ତାବିଜ୍, ଶାସନ ସଂସ୍କାର ବିବରଣୀ, ବ୍ୟକ୍ତିଗତ ପୁସ୍ତକ, ଜମିଜମା ନଥିପତ୍ର, ବିଚାରବିଭାଗୀୟ ଦଲିଲ୍ ଓ ସମ୍ବାଦପତ୍ର ସଂରକ୍ଷିତ ହୋଇ ରହିଛି । ଏହି ସମସ୍ତ ତଥ୍ୟକୁ ମୁଖ୍ୟ ଉତ୍ସ ଭାବରେ ଗ୍ରହଣ କରାଯାଏ । ଏହା ସମସାମୟିକ ଘଟଣାର ଚିତ୍ରର ସଠିକ୍ ପ୍ରତିଫଳନ କରିଥାଏ । ଅତୀତ ସମାଜର ସ୍ୱର ସହିତ ଏହି ତଥ୍ୟର ସିଧା ସଳଖ ସମ୍ପର୍କ ରହିଛି । ତେଣୁ ବର୍ତମାନ ସମୟରେ ଅଭିଲେଖାଗାରୀୟ ଉପାଦାନକୁ ନେଇ ଅଧିକରୁ ଅଧିକ ସୁକ୍ଷ୍ମ ଗବେଷଣାର ଆବଶ୍ୟକତା ରହିଛି ।
ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତର କାର୍ଯ୍ୟକ୍ରମ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା