
ଶ୍ରୀନଗର, 16 ମାର୍ଚ୍ଚ (ହି.ସ.)- କାଶ୍ମୀରର
ଅଧିକାଂଶ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବରଫପାତ ହୋଇଥିବା ବେଳେ ମୈଦାନ ଅଞ୍ଚଳରେ
ବର୍ଷା ହୋଇଛି। ଏହାର ପରିଣାମରେ କିଛି ଅଞ୍ଚଳରେ ଯାନଚଳାଚଳ ବାଧାପ୍ରାପ୍ତ ହୋଇଛି। ସିନ୍ଥନ ଟପ୍ରେ
ଭାରୀ ବରଫପାତ ପରେ ଅନେକ ଯାନ ଅଟକି ରହିଥିଲେ, ଯାହା
ପରେ ପୁଲିସ ଓ ସେନା ରବିବାର ରାତିରେ ଉଦ୍ଧାର ଅଭିଯାନ ଚାଲାଇ ଫସିଥିବା ୨୧୪ ଜଣ ପର୍ଯ୍ୟଟକ ଓ
ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିଥିଲେ।
ଅଧିକାରୀମାନେ କହିଛନ୍ତି ଯେ
ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଗୁଲମର୍ଗ, ମଧ୍ୟ
କାଶ୍ମୀରର ବଡଗାମ ଜିଲ୍ଲାର ଦୁଧପଥ୍ରୀ ଓ ମଧ୍ୟ କାଶ୍ମୀରର ଗାନ୍ଦରବଲ ଜିଲ୍ଲାର ସୋନମର୍ଗ
ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ମଧ୍ୟମ ବରଫପାତ ହୋଇଛି। ସେମାନେ କହିଛନ୍ତି ଯେ ଦକ୍ଷିଣ କାଶ୍ମୀରର
ଶୋପିଆନ୍ ଜିଲ୍ଲାର ମୁଗଲ ରୋଡ୍ର ପୀର କି ଗଲି, ଜୋଜିଲା
ଅକ୍ଷ, ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଗୁରେଜ, ଉତ୍ତର କାଶ୍ମୀରର କୁପୱାଡାରେ ସାଧନା ଟପ୍ ଓ ଦକ୍ଷିଣ କାଶ୍ମୀରର
ଅନନ୍ତନାଗକୁ ଜମ୍ମୁ ଅଞ୍ଚଳର କିଶ୍ତୱାର ସହ ଯୋଡ଼ିଥିବା ସିନ୍ଥନ ଟପ୍ ସହିତ ଉଚ୍ଚ
ଅଞ୍ଚଳଗୁଡ଼ିକରେ ପ୍ରବଳ ବରଫପାତ ହୋଇଛି।
ସେମାନେ କହିଛନ୍ତି ଯେ ସାଧନା
ଟପ୍ରେ ୧୨ ଇଞ୍ଚରୁ ଅଧିକ ନୂତନ ବରଫ ପଡ଼ିଛି, ଯେତେବେଳେ
ସିନ୍ଥନ ଟପ୍ରେ ପ୍ରାୟ ୬ ଇଞ୍ଚ ବରଫପାତ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ବରଫପାତ ହେତୁ
ଉପତ୍ୟକାର କିଛି ଗୁରୁତ୍ୱପୂର୍ଣ୍ଣ ସଡ଼କ ସଂଯୋଗ ବନ୍ଦ ହୋଇଯାଇଛି, ଯାହା ମଧ୍ୟରେ ଗୁରେଜ-ବାନ୍ଦିପୋରା ସଡ଼କ, ସିନ୍ଥନ-କିଶ୍ତୱାର ସଡ଼କ ଓ କାଶ୍ମୀର ଉପତ୍ୟକାକୁ ଜମ୍ମୁ ଅଞ୍ଚଳ ସହିତ
ଯୋଡ଼ୁଥିବା ବିକଳ୍ପ ସଡ଼କ ମୁଗଲ ରୋଡ୍ ଅନ୍ତର୍ଭୁକ୍ତ। ସେମାନେ କହିଛନ୍ତି ଯେ ଜୋଜିଲା ଦର୍ରାରେ
ବରଫ ଜମା ହେବାରୁ ଶ୍ରୀନଗର-ଲେହ ରାଜପଥରେ ଯାନଚଳାଚଳ ମଧ୍ୟ ସ୍ଥଗିତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା