
କେନ୍ଦ୍ରାପଡା,୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ତୁଣୁପୁର ଗ୍ରାମରେ ମା' ବାସନ୍ତୀ ଦୁର୍ଗାଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋମବାର ଚୈତ୍ର କୃଷ୍ଣ ଦ୍ୱାଦଶୀ ତିଥିରେ ସ୍ଥାନୀୟ ତୁଣୁପୁର, ଦଧିବାମନ ପାଟଣା, କଚେରୀପଡା, ଦୂତିଆଳ, ସାନନାଇପୁର, ବଗଡ଼ା, ଭୂଇଁପୁର ଆଦି ଗ୍ରାମର ସାହସ୍ରାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଦିବ୍ୟ କଳସ ଶୋଭାଯାତ୍ରା, ଶୁଭାଧିବାସ, ହୋମଯଜ୍ଞ ଓ ଅନ୍ନଯଜ୍ଞ ଆଦିରେ ସାମିଲ ହୋଇ ବିଭୁକୃପା ଲାଭ କରିଥିଲେ। ସ୍ଥାନୀୟ ବଗଡ଼ା କୃଷି ସମବାୟ ସମିତିର ସମ୍ପାଦକ କାଳନ୍ଦୀ ଚରଣ ବିଶ୍ୱାଳ ସପତ୍ନୀକ ଯଜ୍ଞକର୍ତ୍ତା ଓ ପ୍ରଦୀପ କୁମାର ପତି ପୁରୋଧା ଭାବେ ରହି ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟ ପରିଚାଳନା କରିଥିଲେ। ଦୀର୍ଘ ୩୭ ବର୍ଷଧରି ଉକ୍ତ ମନ୍ଦିରରେ ସ୍ଥାନୀୟ ପ୍ରତ୍ୟକ୍ଷ ଦେବୀ ମା' ବାସନ୍ତୀ ଦୁର୍ଗା ପୂଜା ପାଇ ଆସୁଛନ୍ତି। ନୂତନ ସ୍ଥାୟୀ ମନ୍ଦିର ନିର୍ମାଣ ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମ ସାକାର ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି।
ଚଳିତ ମାସରେ ମା' ଙ୍କର ନବଦିନାତ୍ମକ ଦୁର୍ଗୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେବା ପୂର୍ବରୁ ମନ୍ଦିର ପ୍ରତିଷ୍ଠାର ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର କମିଟି ପକ୍ଷରୁ ସୁବାସ ଚନ୍ଦ୍ର ବିଶ୍ୱାଳ, ଗୌତମ ଚରଣ ଖୁଣ୍ଟିଆ, ଭଜହରୀ ବିଶ୍ୱାଳ, ଦୈତାରୀ ନାୟକ, ରାଜେନ୍ଦ୍ର ପ୍ରଧାନ, ଶୈଳେନ୍ଦ୍ର ପ୍ରଧାନ, ନାରାୟଣ ବିଶ୍ୱାଳ, ନବଘନ ସାହୁ, ମନୋରଞ୍ଜନ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି