
କେନ୍ଦୁଝର, ୧୭ ମାର୍ଚ୍ଚ (ହି.ସ.) - କେନ୍ଦୁଝର ସହର ନିକଟସ୍ଥ ପୁରୁଣା ସହରରେ ଅବସ୍ଥିତ ଜିଲ୍ଲାର ରାଷ୍ଟ୍ରଦେବତା ବଳଦେବଜୀଉଙ୍କ ମନ୍ଦିର ପରିସରରେ ନବନିର୍ମିତ ଭୋଗ ମଣ୍ଡପ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହି ଉଦଘାଟନ ଅବସରରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ ଉମାକାନ୍ତ ଦଳେଇ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧୂକାରୀ ସାର୍ଥକ ଅଭିନନ୍ଦନ ରାୟ ଯୋଗଦେଇ ଭୋଗ ମଣ୍ଡପର ଶୁଭାରମ୍ଭ କରିଥିଲେ। ଭୋଗ ମଣ୍ଡପର ମୁଖ୍ୟ ପୃଷ୍ଠପୋଷକ ମଧୁସୂଦନ ମିଶ୍ର ଓ ତାଙ୍କ ସୁପୁତ୍ର ପ୍ରିୟପଦ ମିଶ୍ରଙ୍କ ସହ ବରିଷ୍ଠ ନାଗରିକ ନବକିଶୋର ସାହୁ, ମନୋଜ ମିଶ୍ର, ସରୋଜ କୁମାର ରଣା, ପ୍ରଭଞ୍ଜନ ପଟ୍ଟନାୟକ, ମୁରଲୀ ସାହୁ, ପଂଚାନନ ସାହୁ, ସମାଜସେବୀ ଗଦାଧର ପୃଷ୍ଟି, ଅକ୍ଷୟ କୁମାର ଚକ୍ର ସହିତ ପୁରୁଣା ସହରର ବହୁ ସ୍ଥାନୀୟ ବାସିନ୍ଦା ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିଥିଲେ। ସୂଚନା ଅନୁସାରେ, ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତିମାନଙ୍କ ପାଇଁ ସୁଲଭମୂଲ୍ୟରେ ପ୍ରଭୁଙ୍କ ଭୋଗ ଉପଲବ୍ଧ ହେବ ବୋଲି ମୁଖ୍ୟ ପୃଷ୍ଠପୋଷକ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA