
ନୂଆପଡ଼ା, ୧୭ ମାର୍ଚ୍ଚ (ହି.ସ.)- ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ସମ୍ମିଳନୀ କକ୍ଷରେ ସମସ୍ତ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସ (ଭିସି) ମାଧ୍ୟମରେ ବିଭିନ୍ନ ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ଥାନୀୟ ଓସ୍ୱାନ୍ କକ୍ଷରୁ ଆଭାସି ଯୋଗଦାନ କରିଥିଲେ। ଭିସିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପର୍ଯ୍ୟାୟକ୍ରମେ ଆଲୋଚନା ହୋଇଥିଲା। ପ୍ରଥମେ ଡାକ୍ତରଖାନା ଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ଗୃହ ବିଭାଗ ପକ୍ଷରୁ ଆଲୋଚନା ହୋଇଥିଲା। ପରବର୍ତ୍ତୀ ଅଧିବେଶନରେ ‘ନ୍ୟାୟ ସଂହିତା’ ସମ୍ପର୍କରେ ଗୃହ ବିଭାଗ ଦ୍ୱାରା ଆଲୋଚନା କରାଯାଇଥିଲା ଓ ଓଡ଼ିଶା ପୋଲିସର ଡିଜିପିଙ୍କ ଦ୍ୱାରା ସମ୍ବନ୍ଧିତ ବିଷୟରେ ମତାମତ ରଖାଯାଇଥିଲା।ଏହାପରେ ୨୦୨୭ ମସିହାର ଭାରତ ଜନଗଣନା ପାଇଁ ପ୍ରଶାସନିକ ପ୍ରସ୍ତୁତି, ଡିଜିଟାଲ ଟୁଲ୍ର ବ୍ୟବହାର ଓ ତଥ୍ୟ ସଂଗ୍ରହ ପ୍ରକ୍ରିୟା ବିଷୟରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଆଲୋଚନା ହୋଇଥିଲା। ସହର ଉନ୍ନୟନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ୍, ପିଏମଏୱାଇ-୨.୦ (ଏଏଚପି) ଅଧୀନରେ ଆବେଦନ ଅବସ୍ଥା, ଉଚ୍ଚ ଚାହିଦା ଥିବା ନଗର ଅଞ୍ଚଳରେ ଜମି ସ୍ଥିତି, ଅଫୋର୍ଡେବଲ ରେଣ୍ଟାଲ ହାଉସିଂ (ଏଆରଏଚ) ଓ ସହର ରାସ୍ତାକୁ ଖାଲଖମାମୁକ୍ତ କରିବା ସହ ଡ୍ରେନ୍ ଘୋଡଣି କାମର ଅଗ୍ରଗତି ଉପରେ ଗୃହନିର୍ମାଣ ଓ ସହର ଉନ୍ନୟନ ବିଭାଗ ଦ୍ୱାରା ସମୀକ୍ଷା କରାଯାଇଥିଲା।ଏହା ସହିତ ଗ୍ରାମ ପଞ୍ଚାୟତ ଭବନଗୁଡ଼ିକୁ ସିଏସପି କେନ୍ଦ୍ର ଭାବେ ହସ୍ତାନ୍ତର କରିବା, ଅର୍ଥ ବିଭାଗ ସମ୍ପର୍କିତ ବିଷୟ, ଆସନ୍ତା ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଗ୍ରାମୀଣ ପାନୀୟଜଳ ପ୍ରକଳ୍ପଗୁଡ଼ିକର ସୁଦୃଢ଼ ପରିଚାଳନା ଓ ଶୀଘ୍ର କାର୍ଯ୍ୟନିଷ୍ପାଦନ ବିଷୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଆଲୋଚନା ହୋଇଥିଲା। ସମାଜ କଲ୍ୟାଣ ବିଭାଗ ଦ୍ଵାରା ଗୁରୁତର ଷ୍ଟଣ୍ଟିଂ ହାର କମେଇବା ଓ ରକ୍ତ ହୀନତା ସମସ୍ୟା ନିବାରଣ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଜିଲ୍ଲାଗୁଡ଼ିକର ୨୫ଟି କୌଶଳୀୟ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳମାନେ ପ୍ରସ୍ତୁତିକରଣ କରିଥିଲେ।
ନୂଆପଡ଼ାରେ ଆୟୋଜିତ ଏହି ଭିସିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସିଡିଏମଓ ଡା. ଧନେଶ୍ୱର ସେଠୀ, ଉପନିର୍ଦ୍ଦେଶକ (ଯୋଜନା) ଦିଲେଶ୍ୱର ଧରୁଆ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ. ଗୀତାଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ