
ଝାରସୁଗୁଡ଼ା, ୧୭ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାନ ଆଜି ମୁଣ୍ଡରାଜୋର ସ୍ଥିତ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣାଧୀନ କୋଠା ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହି ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବୈଷୟିକ ଦିଗ ଉପରେ ଆଲୋଚନା କରିଥିଲେ।
ଜିଲ୍ଲାପାଳ ନିର୍ମାଣାଧୀନ କୋଠାର କୋଣ ଅନୁକୋଣ ବୁଲି ଦେଖିବା ସହ କାର୍ଯ୍ୟର ମାନ ପରଖିଥିଲେ। ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଜିଲ୍ଲାପାଳ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ନୂତନ କୋଠା ନିର୍ମାଣ କରାଯାଉଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରି କୋଠା ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ