ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା
କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଘୋଷଣା କରିବା ପାଇଁ ପଦ୍ମ ଘୁଚି ଘୁଞ୍ଚି ଯାଉଛି । ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ନାହିଁ ନାହିଁର ଜିଲ୍ଲା କେନ୍ଦ୍ରାପଡା ସବୁଥିରୁ ବଂଚିତ। ଅର୍ଥନୈତିକ ବିକାଶର ୨୯ତମ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକେ ସାଧ
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣ ଧାରଣା


କେନ୍ଦ୍ରାପଡା, ୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଘୋଷଣା କରିବା ପାଇଁ ପଦ୍ମ ଘୁଚି ଘୁଞ୍ଚି ଯାଉଛି । ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ନାହିଁ ନାହିଁର ଜିଲ୍ଲା କେନ୍ଦ୍ରାପଡା ସବୁଥିରୁ ବଂଚିତ। ଅର୍ଥନୈତିକ ବିକାଶର ୨୯ତମ ସ୍ଥାନରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକେ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଂଚିତ। ଜିଲ୍ଲାର ଛାତି ଚିରି ୫୩ ନମ୍ବର ଜାତୀୟ ରାଜପଥ ଏବଂ ରେଳପଥ ଯାଇଛି । କେନ୍ଦ୍ରାପଡା ବାସୀ ଦେଶର ବିକାଶ ପାଇଁ ହଜାର ହଜାର ଏକର ଜମି ଦେଇଛନ୍ତି। ପାଇଛନ୍ତି କ'ଣ ବୋଲି ଆଜି ପ୍ରଶ୍ନ ପଚାରୁଛନ୍ତି ? ପ୍ରତିଦିନ ସେହି ରାସ୍ତାରେ ଯାଉଥିବା ଲୋକେ ଆକ୍ସିଡେଣ୍ଟରେ ଖଣ୍ଡିଆଖାବରା ହୋଇ ମୃତ୍ୟୁବରଣ କରନ୍ତି । ଅର୍ଥନୈତିକ ଦୁର୍ଗତିର କଥା ଯଦି କହିବା ତେବେ କେନ୍ଦ୍ରାପଡା ଜିଲ୍ଲାକୁ ନମୁନା ଭାବେ ଗ୍ରହଣ କରାଯାଇପାରେ। ରାଜ୍ୟରେ ତିନିଟି ମେଡିକାଲ କଲେଜ ଥିଲାବେଳେ ସେବେଠାରୁ ଅର୍ଥାତ ୨୦୧୫ ମସିହା ଠାରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ ହୋଇଛି। ସେତେବେଳେ ସମସ୍ତ ବିରୋଧୀ ରାଜନୈତିକ ଦଳ, ଗଣସଙ୍ଗଠନ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ସମ୍ପ୍ରଦାୟ ନିଜସ୍ୱ ଭାବେ ଆନ୍ଦୋଳନ କରିଆସିଛନ୍ତି। ଏହା ମଧ୍ୟରେ ୩ରୁ ୧୭ ମେଡିକାଲ କଲେଜ ରାଜ୍ୟରେ ଘୋଷଣା ହେଇଛି । ସରକାର ପରେ ସରକାର ବଦଳିଛି । କିନ୍ତୁ, କେନ୍ଦ୍ରାପଡା ଜିଲ୍ଲା ଯେଉଁ ଦୁଃଖିଆକୁ ସେହି ଦୁଃଖିଆ ।ରାଜନୈତିକ ପଶା ପାଲିରେ କେନ୍ଦ୍ରାପଡା ବଳି ପଡିଛି । ଅତୀତରେ କ୍ଷମତାରେ ଥିବା ଦଳ ନିରବ ରହିଥିବା ବେଳେ, ଗତକାଲି ଆନ୍ଦୋଳନ କରୁଥିବା ଦଳ ଆଜି କ୍ଷମତାକୁ ଯିବା ପରେ ନିରବ ରହୁଛି। ଏହି ଛାଇ ଆଲୁଅ ଖେଳ ଜିଲ୍ଲାର ବିକାଶ ପାଇଁ କାଳ ହୋଇଛି ।

ଅନ୍ୟପକ୍ଷରେ ଆନ୍ଦୋଳନର ଜୁଆର ଯେତିକି ଉତ୍ତାଳ ହେଇଛି ପ୍ରତିଶ୍ରୁତିର ବନ୍ୟା ସେତିକି ପ୍ରଖର ହୋଇଛି । ପୂର୍ବ ସରକାରଠୁ ଏବର ସରକାର ପ୍ରତିଶୃତି ପରେ ପ୍ରତିଶ୍ରୁତି। ଫଳ କିନ୍ତୁ ଶୂନ। ବିଭିନ୍ନ ସମୟରେ ସ୍ଵାସ୍ଥ୍ୟ ସେବାରୁ ବଂଚିତ ହୋଇ ଅର୍ଧାଧିକ ଲୋକ କଟକ ବଡ଼ ଡ଼ାକ୍ତରଖାନା ଯାଇଥାନ୍ତି। ବର୍ଷ ବର୍ଷ ଧରି ଚାଲିଥିବା ଏହି ପ୍ରକ୍ରିୟାର କୌଣସି ପରିବର୍ତନ ନାହିଁ । ଏହା ବିରୁଦ୍ଧରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାବାସୀ ଏକଜୁଟ। ଯେପର୍ଯ୍ୟନ୍ତ ମେଡିକାଲ କଲେଜ ଘୋଷଣା ହୋଇନି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ । ଏହି ପରିପ୍ରେକ୍ଷୀରେ ଓଡିଶା ବିଧାନସଭାର ଚାଲିଥିବା ଅଧିବେଶନରେ ମୋହନ ସରକାର କେନ୍ଦ୍ରାପଡାରେ ମେଡିକାଲ କଲେଜ ଘୋଷଣା କରିବା ଦାବିରେ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅନୁଷ୍ଠିତ ଗଣଧାରଣାରେ ଅଧ୍ୟାପକ ଅଜୟ ସାମଲ ସଭାପତିତ୍ଵ କରିଥିଲେ। ଏହି ଗଣ ଧାରଣାରେ କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ରମଣି ରଞ୍ଜନ ରାଉତରାୟ, ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗାୟଧର ଧଳ, କଂଗ୍ରେସର ବରିଷ୍ଠ ନେତା ପ୍ରଫୁଲ ଦାସ, ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଧୀରେନ ସାହୁ, ସିପିଆଇ ଜିଲ୍ଲା ସମ୍ପାଦକ ବିକାଶ ବେଉରା, ସିପିଆଇ(ଏମଏଲ) ଜିଲ୍ଲା ସମ୍ପାଦକ ବିଧାନ ଦାସ, କେନ୍ଦ୍ରାପଡା ମୁନିଷ୍ପଲଟି ନେତା ମୁକ୍ତାର ଖାଁ, ମହାକାଳପଡ଼ା ବ୍ଲକ ନେତା ନିରାକାର ଜେନା, ନରୋତ୍ତମ ପାର୍ଥସାରଥୀ, ବିଜୟ ନାଥ, ଚିତ୍ତରଞ୍ଜନ ତରାଇ, ପଟ୍ଟାମୁଣ୍ଡାଇ ନେତା ଦାଶରଥି ସାହୁ, ରାଜକୁମାର ବିଶ୍ୱାଳ, ଅଶୋକ ନାୟକ, ଡେରାବିସ ନେତା ଗୋଲକ ଚନ୍ଦ୍ର ମହାଭୋଇ, ଗାନ୍ଧିବାଦୀ ଅଭିମନ୍ୟୁ ରାଉତ, ବିପିନ ସାହୁ, ମାର୍ଶାଘାଇର ନେତା କେଦାର ସାମନ୍ତରାୟ, ସୁରେଶ ପଟ୍ଟନାୟକ, ପବିତ୍ର ପରିଡା, ଶ୍ରୀନିବାସ ପରିଡା, ଡ଼ଃ ଚୈତନ୍ୟ ପରିଡା, ଗରଦପୁର ନେତା ନବଘନ ମହାରଣା, ସୀତାକାନ୍ତ ନାୟକ, କେନ୍ଦ୍ରାପଡା ବ୍ଲକ ନେତା ପ୍ରଫୁଲ୍ଲ ରାଉତ, ବିପ୍ଳବ କୁମାର,ରାଜକନିକାର ନେତା ମଙ୍ଗୁଳି ଚରଣ ବେହେରା, ରାଜେନ୍ଦ୍ର ବେଉରା, ଗୋପୀନାଥ ବିଶ୍ୱାଳ, ଜିଲ୍ଲାର ବରିଷ୍ଠ ନେତା ନନ୍ଦକିଶୋର ପରିଡା, ଆଦିକନ୍ଦ ରାଉଳ, ଫକୀର ଖଟୁଆ, ଦିଲ୍ଲୀପ ମିଶ୍ର, ଧୀରେନ୍ଦ୍ର ବେହେରା, ବୈଷ୍ଣବ ସ୍ୱାଇଁ, ମହେନ୍ଦ୍ର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ ବିଜୟ ନାୟକ ,ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ନବନର୍ମାଣ କୃଷକ ସଂଗଠନ ଦୋଳଗୋବିନ୍ଦ ସାହୁ, ହୃଷିକେଶ ନାୟକ,ମହେନ୍ଦ୍ର ପରିଡା, ଡ଼ଃ ଉପେନ୍ଦ୍ରନାଥ ପ୍ରଧାନ, ଅପର୍ତ୍ତି ସେଠି, ମାଧବାନନ୍ଦ ନାୟକ,ଭାବଗ୍ରାହୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥଲେ। ଏହି ଐତିହାସିକ ଲଢେଇରେ ସାରା ଜିଲ୍ଲାର ଆବଳ ବୃଦ୍ଧ ବନିତା, ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଳେଇ ରଖିବା ପାଇଁ ଅନୁରୋଧ କରିଥିଲେ।

ପ୍ରକାଶ ଥାଉକି, ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନର ତୀବ୍ରତାକୁ ଦେଖି ରାଜ୍ୟ ସରକାର ଗତ ବିଧାନସଭା ବଜେଟ ଅଧିବେଶନରେ କେନ୍ଦ୍ରାପଡାରେ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । କିନ୍ତୁ ବଜେଟରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଟଙ୍କାଟିଏ ବ୍ୟୟ ବରାଦ କରିନାହାନ୍ତି। ଏହା ଧର୍ମକୁ ଆଖି ଠାର ସଦୃଶ। ତେଣୁ କେନ୍ଦ୍ରାପଡାକୁ ପ୍ରତାରଣା ବିରୁଦ୍ଧରେ ଆନ୍ଦୋଳନ ମଞ୍ଚରୁ ଗାଁକୁ ଚାଲ ଆହ୍ୱାନ ଦିଆଯାଇଛି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଲିଖିତ ଦାବିପତ୍ରକୁ ଜିଲ୍ଲାପାଳ ରଘୁରାମ ଆର ଆୟାର ସଭା ସ୍ଥଳରେ ଆସି ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande