


ବଲାଙ୍ଗୀର,୧୭ ମାର୍ଚ୍ଚ(ହି.ସ.) – ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ମିଶନ ଶକ୍ତି ଭବନ ଠାରେ ଡାହାଣୀ ସନ୍ଦେହ ଜନିତ ନିର୍ଯ୍ୟାତନା ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଥିଲା। କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ଶତପଥୀ ସଭାପତିତ୍ୱ କରିଥିଲେ। ପ୍ରଶିକ୍ଷକ ଭାବରେ ଯୁବୋଦୟ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସନ୍ଦିପ କୁଅଁର ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶିବାନୀ ଠାକୁର ମଂଚାସୀନ ଥିଲେ।
ବିଭିନ୍ନ ବ୍ଲକରୁ ଆଶା, ଏଏନ୍ଏମ୍, ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା, କଲେଜ ଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଭାପତି ଶ୍ରୀମତୀ ଶତପଥୀ ମହିଳାମାନଙ୍କୁ ଶିକ୍ଷା ଆହରଣ କରି ସଶକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଡାହାଣୀ ସନ୍ଦେହ ଭଳି କୁପ୍ରଥା ବିଷୟରେ ସମାଜର ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ, ବିଶେଷତଃ ମହିଳାମାନେ। ପ୍ରଶିକ୍ଷକ ଶ୍ରୀ କୁଅଁର ସମାଜରେ ଡାହାଣୀ ସନ୍ଦେହ ଜନିତ କୁପ୍ରଥାର ପରିସ୍ଥିତି ଓ ଏହାକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଣିତ ଆଇନ ବିଷୟରେ ଆଲୋଚନା କରିଥିଲେ। ଧନ୍ୟବାଦ ଅର୍ପଣ ସୁରକ୍ଷା ଅଧିକାରିଣୀ ତଥା କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ସୁଜାତା ଦୋରା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ