ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ଜୟପୁର, ୧୭ ମାର୍ଚ୍ଚ (ହି.ସ.)- ଆଗାମୀ ଅପ୍ରେଲ ଓ ମଇ ମାସରେ କାଳବୈଶାଖୀ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତ
ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ


ଜୟପୁର, ୧୭ ମାର୍ଚ୍ଚ (ହି.ସ.)- ଆଗାମୀ ଅପ୍ରେଲ ଓ ମଇ ମାସରେ କାଳବୈଶାଖୀ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଜିଲ୍ଲାରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ୍ୟ ରଖିବା ପ୍ରଶାସନର ପ୍ରାଥମିକତା। ଭାରୀଯାନ ଗୁଡ଼ିକରେ ଡ୍ରାଇଭରଙ୍କ ସୁରକ୍ଷା ପାଇଁ କୁଲିଂ ବ୍ୟବସ୍ଥା ସହ ଜଣେ ସହଯୋଗୀ ରହିବା ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସତର୍କତା ଅବଲମ୍ବନ କରିବାକୁ ଏବଂ ସକାଳୁଆ ସ୍କୁଲ ନିୟମ ଆଗକୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦେଶନାମା ଜାରି କରାଯିବ । ଜିଲ୍ଲାର ସମସ୍ତ ବ୍ଲକ, ମ୍ୟୁନିସିପାଲିଟି ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ପର୍ଯ୍ୟାପ୍ତ ଜଳଛତ୍ର ଓ ବିଶ୍ରାମାଗାର ଖୋଲିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗକୁ ଓଆରଏସ ପ୍ୟାକେଟ ଓ ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା ସହ ହସ୍ପିଟାଲ ଗୁଡ଼ିକରେ ଏସି ଓ କୁଲର ସୁବିଧା ଥିବା ସ୍ବତନ୍ତ୍ର କକ୍ଷ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଜଙ୍ଗଲରେ ନିଆଁ ରୋକିବା ପାଇଁ ବନ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲା, ବ୍ଳକ ଓ ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୨୪/୭ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ସମସ୍ତ ହେଲ୍ପଲାଇନ ନମ୍ବରକୁ ସାର୍ବଜନୀନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏଥିସହ ଚଳିତ ମାର୍ଚ୍ଚ, ଅପ୍ରେଲ ଓ ମଇ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ବତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ କୁହାଯାଇଥିଲା । ସେହିପରି ଜିଲାର ସମସ୍ତ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରାଯିବ, ଅଚଳ ନଳକୂପ, ସୌରଚାଳିତ ନଳକୂପ ଗୁଡିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି। ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି। ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଆଦି ମୁଣ୍ଡରେ ପକାଇ ଯାତାୟାତ କରିବା ଏବଂ ଏଥିନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା । ସେଛାସେବୀ ଅନୁଷ୍ଠାନ, ପଞ୍ଚାୟତ ଜନପ୍ରତିନିଧିଙ୍କୁ ନେଇ ଜନସଚେତନତା କରିବା ପାଇଁ କୁହାଯାଇଛି । ସେହିପରି ଅଂଶୁଘାତରେ ଯଦି କାହାର ମୃତ୍ୟୁ ହୁଏ ତେବେ ତୁରନ୍ତ ବିବରଣୀ ପ୍ରଦାନ କରିବାକୁ ମଧ୍ୟ ତହସିଲଦାର, ବିଡ଼ିଓଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ଓ ନରେଶ ଶବର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୌରଂଜିତା ମାଝୀଙ୍କ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande