ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ କେରଳ ମଡେଲରେ ପାଠ ପଢ଼ା : ଆବଶ୍ୟକ ଅନୁଯାୟୀ ନାହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ
Inadiquet teachers in Gatangi hostel School
ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ-୨


ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ


କନ୍ଧମାଳ, ୧୭ ମାର୍ଚ୍ଚ (ହି.ସ.)- ସୁନ୍ଦର ପରିବେଶ ବିଦ୍ୟାଳୟ ପରିସର । ଉପାନ୍ତ ଅଞ୍ଚଳରେ ସ୍ମାର୍ଟ କ୍ଲାସ୍ ରୁମ୍ ରେ କେରଳ ମଡେଲ୍ ରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ, ଆବଶ୍ୟକ ଶିକ୍ଷକ, ଶିକ୍ଷୟତ୍ରୀ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ଏ କେଉଁ ସହରାଞ୍ଚଳର ଦୃଶ୍ୟ ନେହେଁ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ସୁଡ୍ରା ପଞ୍ଚାୟତର ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟଟି ପାହାଡ଼ ପାଦଦେଶରେ ରହିଥିଲେ ମଧ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୀର୍ଥବାସୀ ଘଡ଼ାଇଙ୍କ ନିଜସ୍ବ ଉଦ୍ୟମରେ ବିଦ୍ୟାଳୟ ପରିବେଶକୁ ଅତି ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ମଧ୍ୟ ଉଚ୍ଚକୋଟୀର । ଅନ୍ୟପଟେ କେରଳ ମଡେଲରେ ପାଠ ପଢ଼ାଯାଉଥିବା ଏହି ବିଦ୍ୟାଳୟ ଜିଲ୍ଲାର ପ୍ରଥମ ବିଦ୍ୟାଳୟ ଅଟେ। ଫଳରେ ସମସ୍ତ ଛାତ୍ରଛାତ୍ରୀ ଇଂରାଜୀ ଅକ୍ଷର ୟୁ ଆକାରରେ ବସି ବେସ୍ ଖୁସିରେ ପାଠ ପଢିପାରୁଛନ୍ତି ।

ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସମୁଦାୟ ୧୭୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଛାତ୍ରୀ ନିବାସରେ ରହୁଛନ୍ତି ୧୪୦ ଜଣ ଛାତ୍ରଛାତ୍ରୀ । ମାତ୍ର ଦୁଇ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦ୍ବାରା ବିଦ୍ୟାଳୟରେ ଚାଲିଛି ପାଠପଢ଼ା । ତଥାପି ପ୍ରଧାନଶିକ୍ଷକଙ୍କ ଶୈକ୍ଷିକ ପଦ୍ଧତି ଯୋଗୁଁ ପ୍ରତିବର୍ଷ ବିଦ୍ୟାଳୟର ଅନେକ ଛାତ୍ରୀ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଛନ୍ତି । ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଆବଶ୍ୟକ ଶିକ୍ଷକ, ଶିକ୍ଷୟତ୍ରୀ ନଥିବାରୁ ପାଠ ପଢ଼ିବାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏଣୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତି ଦେଲେ ଏହି ବିଦ୍ୟାଳୟ ଆହୁରି ଉନ୍ନତି କରିବ ବୋଲି କହିଛନ୍ତି ଅନ୍ତେବାସୀ ଓ ପ୍ରଧାନଶିକ୍ଷକ । ତେବେ ପ୍ରଶାସନର ଏହି ବିଦ୍ୟାଳୟ ପ୍ରତି କେବେ ଦୃଷ୍ଟି ପଡୁଛି ତାହାକୁ ଅପେକ୍ଷା ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande