
କେନ୍ଦୁଝର, ୧୭ ମାର୍ଚ୍ଚ (ହି.ସ.) - ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଝାଡ଼ପୋଖରୀ ଶ୍ରୀ ଶ୍ରୀ ବାସୁଦେବ ଭାଗବତ ଟୁଙ୍ଗି ବାର୍ଷିକୋତ୍ସବ ଦୁଇଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇଯାଇଛି । ଶୁଭ ଅଧିବାସ ଅବସରରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ମୁଖ୍ୟ କର୍ତା ପ୍ରହ୍ଲାଦ ନାୟକଙ୍କ ସହଯୋଗରେ ନଈରୁ ଜଳ ଆଣି ପୂର୍ଣ୍ଣ କୁମ୍ଭ ସ୍ଥାପନ ପୂର୍ବକ ଗାଦି ପୂଜାର୍ଚ୍ଚନା କରି ଭାଗବତ ପାରାୟଣ ତଥା ପ୍ରବଚନ ଏବଂ ଭଜନ କୀର୍ତନ ଅନୁଷ୍ଠିତ ହୋଇଥିଲା। ଆଜି ମଙ୍ଗଳ ଆରତୀ କରି ଶ୍ରୀ ଶ୍ରୀ ବାସୁଦେବଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା। ଦିବା ୭ଘଟିକାରେ ଗ୍ରାମବାସୀ ତଥା ବିଭିନ୍ନ ଭାଗବତ ଟୁଙ୍ଗିର ଭକ୍ତ ମାନଙ୍କ ସମାବେଶରେ ଭାଗବତ ଭଗବାନଙ୍କ ଷୋଡଶ ଉପଚାର ପୂଜା ତଥା ଘୃତାହୁତି ଯଜ୍ଞ ଅନୁଷ୍ଠିତ ହୋଇଥିଲା ଏବଂ ଜାମଯୋଡ଼ି, ପିଟାପିଟି,ଫିରିଙ୍ଗି ସାହି ଓ ବଡ ନୂଆଗାଁ ଭାଗବତ ଟୁଙ୍ଗି ଭଜନ ମଣ୍ଡଳୀ ଭଜନ ଅର୍ଘ୍ୟ ଅର୍ପଣ କରିଥିଲେ। ପରିଶେଷରେ ଭାଗବତ ସତସଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।ଏହାକୁ ପରିଚାଳନା କରିଥିଲେ ହରିଚନ୍ଦନ ପୁର (୨)ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ସୁରେଶ ଚନ୍ଦ୍ର ସାହୁ। ଅତିଥି ପରିଚୟ ପ୍ରଦାନ କରି ଥିଲେ ତେଲକୋଇ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଅରକ୍ଷିତ ପ୍ରଧାନ। ଏଥିରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ମୁଖ୍ୟ ଅତିଥି, ସମ୍ପାଦକ ପ୍ରଧ୍ୟାପକ ଜଗନ୍ନାଥ ଜେନା ଓ ହରିଚନ୍ଦନପୁର (୧) ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ମାର୍କଣ୍ଡ ବେହେରା ସମ୍ମାନିତ ଅତିଥି ଏବଂ ତେଲକୋଇ ଚାରିଗଡ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ମାନ ଗୋବିନ୍ଦ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ଭାଗବତପୂଜନ ପଠନ ଓ ଶ୍ରବଣର ମାହାତ୍ମ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଲା ସଭାପତି ଏହି ଅଂଚଳର ୧୫ଗୋଟି ଭାଗବତ ଟୁଙ୍ଗିର କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧିତ କରି ଭାଗବତ ଆନ୍ଦୋଳନରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ ଏବଂ ବ୍ଲକ ସମ୍ପାଦକ ବିଚିତ୍ରା ନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଭାଗବତ ଟୁଙ୍ଗିର ଭୀମସେନ ସାହୁ,ବିଦ୍ୟାଧର ସାହୁ, ଭରତ ମହାନ୍ତ,ଚତୁର୍ଭୁଜ ସାହୁ, ପିତାମ୍ବର ସାହୁ ଓ କଳିଙ୍ଗ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA