
ଝାରସୁଗୁଡା, ୧୭ ମାର୍ଚ୍ଚ (ହି.ସ.)- ଅପରେସନ୍ “ସାଇବର କବଚ” କାର୍ଯ୍ୟକାରିତାରେ ଝାରସୁଗୁଡା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସଂଗଠିତ ମ୍ୟୁଲ୍ ଆକାଉଣ୍ଟ ନେଟୱାର୍କ ଏବଂ ସାଇବର ଠକେଇ ସିଣ୍ଡିକେଟ୍ କୁ ମୂଳପୋଛ କରିବାରେ ଝାରସୁଗୁଡା ପୋଲିସ ଅସାଧାରଣ ସଫଳତା ଅର୍ଜନ କରିଛି ବୋଲି ଓଡିଶା ପୋଲିସ ଡିଜି ୱାଇ.ବି. ଖୁରାନିଆ ମଙ୍ଗଳବାର ପ୍ରେସ ବିବୃତିରେ କହିଛନ୍ତି।
ଡିଜିଙ୍କ କହିବା ଅନୁସାରେ, ଜିଲ୍ଲା ପୋଲିସ ବହୁ ସାଇବର ଠକେଇ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ବିଶେଷକରି ୫ କୋଟି ଓ ୧୨ କୋଟି ଟଙ୍କାରୁ ଅଧିକ ଆନ୍ତଃରାଜ୍ୟ ସାଇବର ଠକେଇ ଘଟଣାର ପର୍ଦାଫାଶ କରିବା ଏହି ସଫଳତାର ମୁଖ୍ୟ ଦିଗ।
ଏହାସହିତ, ମ୍ୟୁଲ୍ ଆକାଉଣ୍ଟ ଚକ୍ରରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତିକୁ ପ୍ରକାଶ କରିବାରେ ପୋଲିସ ସକ୍ଷମ ହୋଇଛି। ଜାତୀୟ ଓ ରାଜ୍ୟ ସ୍ତରର ବହୁ ସାଇବର ଅପରାଧ ମାମଲାରେ ଶୀଘ୍ର ତଦନ୍ତ ଓ ଅଭିଯୁକ୍ତ ଧରାପଗଡ଼ ମାଧ୍ୟମରେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇପାରିଥିବା ଡିଜି ଖୁରାନିଆ ଉଲ୍ଲେଖ କରିଛନ୍ତି ।
ଝାରସୁଗୁଡା ପୋଲିସର ଏହି ସଫଳତାକୁ ରାଜ୍ୟସ୍ତରରେ ପ୍ରଶଂସା କରାଯାଇଥିବା ସହିତ ଆଗାମୀ ଦିନରେ ସାଇବର ଅପରାଧ ନିୟନ୍ତ୍ରଣରେ ଏହା ଏକ ଦୃଷ୍ଟାନ୍ତ ହେବ ବୋଲି ମନେ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ