





ସୁବର୍ଣ୍ଣପୁର,୧୭ ମାର୍ଚ୍ଚ(ହି.ସ.) – ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଇନ ସେବାରେ ନିୟୋଜିତ ପାରା ଲିଗାଲ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ସ୍ୱେଚ୍ଛାସେବୀମାନଙ୍କୁ ଆଇନ ପ୍ରକ୍ରିୟା ସହ ସାମାଜିକ ଦୃଷ୍ଟିକୋଣରେ ସଚେତନ କରିବା। ବିଶେଷକରି ବାଲ୍ୟ ଅପରାଧୀମାନଙ୍କ ପ୍ରତି ବ୍ୟବହାର ଓ ପରାମର୍ଶ ବା କାଉନସେଲିଙ୍ଗ ପ୍ରକ୍ରିୟା ବିଷୟରେ ତଥ୍ୟ ଦିଆଯାଇଥିଲା।
ଏହି ଅବସରରେ ଡ଼ିଏସ୍ପି ରେଣୁକା ସୁନା ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୁବର୍ଣ୍ଣପୁର, ଚତୁର୍ଭୁଜ ଦାସ ପରିଚାଳନା କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ୟୁନିସେଫ ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା, ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ଆଇନସେବା ବିଭାଗର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।
ତାଲିମରେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁଯାୟୀ ଶିଶୁ ଅପରାଧ ସମ୍ବନ୍ଧୀୟ ନିୟମ, ଦଣ୍ଡବିଧାନ ବା ସଜା ପ୍ରକ୍ରିୟା ଓ ସୁଧାର ଗୃହର ପ୍ରାବଧାନ ବିଷୟରେ ସ୍ୱେଚ୍ଛାସେବୀମାନଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ