
ଭୁବନେଶ୍ୱର,୧୭ ମାର୍ଚ୍ଚ (ହି.ସ.) - ଓଡ଼ିଶା ଦିବସ ୨୦୨୬ ପାଳନ ଉପଲକ୍ଷେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନୂଆଦିଲ୍ଲୀ ସମେତ କୋଲକାତା, ମୁମ୍ବାଇ, ଚେନ୍ନାଇ, ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ୱର, ସମସ୍ତ ରାଜସ୍ୱ ଆୟୁକ୍ତ, ଜିଲ୍ଲା ଓ ଉପଖଣ୍ଡସ୍ତରରେ ଓଡ଼ିଶା ଦିବସକୁ ଆନନ୍ଦ, ଉଲ୍ଲାସ ଓ ଆକର୍ଷଣୀୟ ଭାବରେ ମହା ସମାରୋହରେ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଯୋଗ ଦେଇ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ । ଓଡ଼ିଶା ଦିବସ ଏପ୍ରିଲ ୧ ତାରିଖ ସଂଧାରେ ରାଜ୍ୟସ୍ତରୀୟ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଜୟଦେବ ଭବନଠାରେ ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ । ରାଜ୍ୟସ୍ତରୀୟ ଉତ୍ସବରେ ଆୟୋଜିତ ସାଧାରଣ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥ୍ୟାମାନଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯିବ । ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କୁ
ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ଏବଂ ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ ଓଡ଼ିଶା ରିଭ୍ୟୁ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ସହ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ ପ୍ରକାଶ ପାଉଥିବା ପତ୍ରିକା ‘ପ୍ରଗତି ପ୍ରବାହ' ର ୩ୟ ସଂସ୍କରଣ ଉନ୍ମୋଚନ ହେବ । ଜୟଦେବ ଭବନରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିବସ ପାଳନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦେଶାତ୍ମବୋଧକ ସଂଗୀତ ବାଦନ, ବିଭିନ୍ନ ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ ସୌଧଗୁଡ଼ିକର ଆଲୋକୀକରଣ, ବରପୁତ୍ରମାନଙ୍କ ପ୍ରତିମୂର୍ତି ସଫେଇ ଓ ମାଲ୍ୟାର୍ପଣ ନେଇ ଆଲୋଚନା କରାଯାଇଥିଲା। ଦେଶର ପ୍ରମୁଖ ସ୍ଥାନ ନୂଆଦିଲ୍ଲୀ ଠାରେ ପ୍ରମୁଖ ଆବାସିକ ଆୟୁକ୍ତ ଏବଂ କୋଲକାତା, ମୁମ୍ବାଇ, ଚେନ୍ନାଇ ଆଦିଠାରେ ସ୍ଥାନୀୟ ଓଡ଼ିଆ ସମାଜ ସହଯୋଗରେ ଓଡ଼ିଶା ଦିବସ ପାଳନ ହେବ ।
ଏପ୍ରିଲ ୧ ଓଡ଼ିଶା ଦିବସରୁ ଆରମ୍ଭ କରି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଅଳିବାକୁ ଆଧାର କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂପୃକ୍ତ ବିଭାଗମାନଙ୍କ ସହଯୋଗରେ ବିଭିନ୍ନ ଦିବସରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ଭ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡଃ. ଏନ୍.ଡିରୁମାଳା ନାଏକ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚ୍ଚିବ ଶ୍ରୀ ଚଇନ୍ତ ସିଂ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦେଶକ, ବୈଷୟିକ ଶ୍ରୀ ଗୁରବୀର ସିଂଙ୍କ ସମେତ ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା