
ଝାରସୁଗୁଡ଼ା, ୧୭ ମାର୍ଚ୍ଚ (ହି.ସ.)- ଆଗାମୀ ଅପ୍ରେଲ ଓ ମଇ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଗାଇଡଲାଇନ୍ ଅନୁଯାୟୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଚହ୍ବାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୃତ୍ୟୁଞ୍ଜୟ ସବରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ୍ୟ ରଖିବା ପ୍ରଶାସନର ପ୍ରାଥମିକତା। ଏଥିପାଇଁ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିକ-ଆୱାରରେ କୌଣସି ପରିବହନ ସେବା କିମ୍ବା ଖଣି ଓ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ ଜାରି ରହିବ ନାହିଁ। ଭାରୀ ଯାନ ଗୁଡ଼ିକରେ ଡ୍ରାଇଭରଙ୍କ ସୁରକ୍ଷା ପାଇଁ କୁଲିଂ ବ୍ୟବସ୍ଥା ସହ ଜଣେ ସହଯୋଗୀ ରହିବା ବାଧ୍ୟତାମୂଳକ କରାଯାଇଛି। ସ୍କୁଲ ଗୁଡ଼ିକରେ ପିଲାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରିବାକୁ ଏବଂ ସକାଳୁଆ ସ୍କୁଲ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜାତୀୟ ରାଜପଥରେ ଗୋବିନ୍ଦପୁର ଟୋଲ ଗେଟ୍ ସମେତ ଜିଲ୍ଲାର ସମସ୍ତ ବ୍ଲକ, ମ୍ୟୁନିସିପାଲିଟି ଏବଂ ଜଳକ୍ଳିଷ୍ଟ ଅଞ୍ଚଳରେ ପର୍ଯ୍ୟାପ୍ତ ଜଳଛତ୍ର ଓ ବିଶ୍ରାମ ଗାର ଖୋଲିବାକୁ କୁହାଯାଇଛି। କୌଣସି ସରକାରୀ କାର୍ଯ୍ୟାଳୟ ପରିସରରେ ଜଳ ଅପଚୟକୁ ନେଇ ଜିଲ୍ଲାପାଳ କଠୋର ଆଭିମୁଖ୍ୟ ପ୍ରକାଶ କରି କହିଛନ୍ତି ଯେ, ଟ୍ୟାପ୍ ଖୋଲା ରଖିବା ବା ପାଣି ଭାସୁଥିବା ବର୍ଦ୍ଦାସ୍ତ କରାଯିବ ନାହିଁ। ପାନୀୟ ଜଳ ସମ୍ପର୍କିତ ସମସ୍ତ ପେଣ୍ଡିଂ ଫାଇଲ୍ ତୁରନ୍ତ ସାରିବା ସହ ଅଚଳ ନଳକୂପ ଓ ପାଇପ୍ ଲାଇନ ଲିକେଜକୁ ୨୪ ଘଣ୍ଟା ମଧ୍ୟରେ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଟାଟା ପାୱାରକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ମରାମତି କାର୍ଯ୍ୟ ଭୋର ସମୟରେ କରାଯିବ ଏବଂ ମଧ୍ୟାହ୍ନରେ ଅବିରତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହେବ। ସ୍ୱାସ୍ଥ୍ୟ ବିଭାଗକୁ ଓଆରଏସ ପ୍ୟାକେଟ ଓ ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା ସହ ହସ୍ପିଟାଲ ଗୁଡ଼ିକରେ ଏସି ଓ କୁଲର ସୁବିଧା ଥିବା ସ୍ୱତନ୍ତ୍ର କକ୍ଷ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଜଙ୍ଗଲରେ ନିଆଁ ରୋକିବା ପାଇଁ ବନ ବିଭାଗକୁ ସତର୍କ କରାଯାଇଥିବା ବେଳେ ବନ୍ୟଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଛି। ଜିଲ୍ଲା, ବ୍ଲକ ଓ ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୨୪/୭ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ସମସ୍ତ ହେଲ୍ପଲାଇନ ନମ୍ବରକୁ ସାର୍ବଜନୀନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଚଳିତ ମାର୍ଚ୍ଚ, ଅପ୍ରେଲ ଓ ମଇ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କl ରହିଛି । ତେଣୁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଥିଲା।
ସେହିପରି ଜିଲ୍ଲାର ସମସ୍ତ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରାଯିବl, ଅଚଳ ନଳକୂପ, ସୌର ଚାଳିତ ନଳକୂପ ଗୁଡିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜ଼ିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି । ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି।
ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟାତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସ୍ବେଛାସେବୀ ଅନୁଷ୍ଠାନ, ପଂଚାୟତ ଜନପ୍ରତିନିଧି ମାନଙ୍କୁ ନେଇ ଜନସଚେତନତା କରିବା ପାଇଁ କୁହାଯାଇଛି।
ବନ୍ୟଜନ୍ତୁଙ୍କ ନିମନ୍ତେ ପିଇବା ପାଣି ବ୍ୟବସ୍ଥା କରିବାକୁ ବନ ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଅଂଶୁଘାତରେ ଯଦି କାହାର ମୃତ୍ୟୁ ହୁଏ ତେବେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ତହସିଲଦାର, ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ