
ଭୁବନେଶ୍ୱର, ୧୭ ମାର୍ଚ୍ଚ (ହି.ସ.) - ପିସିସି ସଭାପତି ଭକ୍ତ ଚରଣ ଦାସ କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ହୋଇଥିବା ଆଇସିୟୁ ଅଂଚଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାର, ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କ ବିରୁଦ୍ଧରେ କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନ, ପ୍ରତ୍ୟେକ ମୃତକ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତି ନହେବା ନିମନ୍ତେ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଭକ୍ତ ଦାସ କହିଛନ୍ତି।
ସ୍ଥିତି ଅନୁଧ୍ୟାନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭକ୍ତ କହିଛନ୍ତି କଟକ ଏସସିବି ଆଇସିୟୁରେ ଘଟିଥିବା ଦୁଃଖଦ ଓ ଗଭୀର ଚିନ୍ତାଜନକ ଘଟଣା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତାକୁ ସ୍ପଷ୍ଟ କରିଦେଇଛି । ଯେଉଁଠାରେ ରୋଗୀଙ୍କ ଜୀବନ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ, ସେଠାରେ ଅବହେଳା, ଅପର୍ଯ୍ୟାପ୍ତ ତତ୍ୱାବଧାନ ଓ ତ୍ରୁଟିପୂର୍ଣ୍ଣ ପ୍ରଶାସନ ଏହି ଦୁର୍ଘଟଣାକୁ ଆମନ୍ତ୍ରଣ କରିଛି । ଆଇସିୟୁ ଭଳି ସମ୍ବେଦନଶୀଳ ବିଭାଗରେ ୨୪ ଘଂଟିଆ କାର୍ଯ୍ୟକ୍ଷମ ବ୍ୟବସ୍ଥା, ବିଶେଷତଃ ଇଲେକ୍ଟ୍ରିକ୍ ସୁରକ୍ଷା, ଏସି ବ୍ୟବସ୍ଥା ଓ ଆଧୁନିକ ଯନ୍ତ୍ରପାତିର ନିୟମିତ ରକ୍ଷାଣାବେକ୍ଷଣ ନ ହେବା ଏକ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି । ଏହା ସ୍ପଷ୍ଟ ଯେ, ସୁପରିେଂଟଣ୍ଡେଂଟଙ୍କ ଠାରୁ ଆରମ୍ଭ କରି ସମ୍ବନ୍ଧିତ ସମସ୍ତ ବିଭାଗ ତାଙ୍କର କର୍ତବ୍ୟ ପାଳନରେ ବିଫଳ ହୋଇଛନ୍ତି ।
ଘଟଣା ସମୟରେ ରୋଗୀମାନଙ୍କୁ ବାହାର କରିବାରେ ପ୍ରାୟ ୪୫ ମିନିଟ୍ ବିଳମ୍ବ, ଫାୟାର ସେଫ୍ଟିର ଅଭାବ ଓ ଅଧିକାରୀମାନଙ୍କର ଅନୁପସ୍ଥିତି ଅତ୍ୟନ୍ତ ଦୁଃଖଦ ଏବଂ ଅସ୍ୱୀକାର୍ଯ୍ୟ। ଏହା କେବଳ ପ୍ରଶାସନିକ ତ୍ରୁଟି ନୁହେଁ, ଏହା ରୋଗୀଙ୍କ ଜୀବନ ପ୍ରତି ଗୁରୁତର ଅବହେଳା । ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦାୟୀ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏପରି ଅବହେଳାକୁ ଅପରାଧିକ କାର୍ଯ୍ୟ ଭାବେ ଗ୍ରହଣ କରାଯିବା ଆବଶ୍ୟକ ।
ମୃତକଙ୍କ ପରିବାରକୁ ଅତି କମରେ ୧ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ ସହିତ ଆହତମାନଙ୍କୁ ଉତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ଆଧୁନିକ ଓଡ଼ିଶାର ଦାବି କରିବା ପୂର୍ବରୁ ଆମେ ପ୍ରଥମେ ଜନଜୀବନର ସୁରକ୍ଷା ଓ ମୌଳିକ ସେବାର ଗୁଣବତା ସୁନିଶ୍ଚିତ କରିବାକୁ ପଡିବ । ଏହା ରାଜନୀତିର ବିଷୟ ନୁହେଁ, ଏହା ଜନଜୀବନର ପ୍ରଶ୍ନ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା