ସୁଭଦ୍ରା ଶକ୍ତି ମେଳା–୨୦୨୬ର ସଫଳ ଆୟୋଜନ : ୭୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ
ନୂଆପଡ଼ା, ୧୭ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ସପ୍ତମ ତଥା ଉଦଯାପନୀ ରଜନୀ ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ନ୍ୟାସନାଲ କଲେଜ ମେଳା ପ୍ରାଙ୍ଗଣରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଜିଲ୍ଲା ସହିତ ରାଜ୍ୟର ବିଭିନ୍ନ ଅ
Subhadra Sakti mela


ନୂଆପଡ଼ା, ୧୭ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ସପ୍ତମ ତଥା ଉଦଯାପନୀ ରଜନୀ ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ନ୍ୟାସନାଲ କଲେଜ ମେଳା ପ୍ରାଙ୍ଗଣରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଜିଲ୍ଲା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୋଟ୍ ୧୨୦ଟି ଷ୍ଟଲ୍ ସ୍ଥାପିତ ହୋଇଥିଲା। ମେଳା ଅବଧିରେ ସମୁଦାୟ ଭାବେ ୭୦,୮୯,୨୫୧ ଟଙ୍କାର ବ୍ୟବସାୟ ହୋଇଛି। ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂସହାୟକ ଗୋଷ୍ଠୀମାନେ ନିଜସ୍ୱ ଉତ୍ପାଦିତ ହସ୍ତଶିଳ୍ପ, ଖାଦ୍ୟପଦାର୍ଥ ଓ ଗ୍ରାମୀଣ ଉତ୍ପାଦନଗୁଡ଼ିକୁ ପ୍ରଦର୍ଶନ ଓ ବିକ୍ରୟ କରି ଭଲ ରୋଜଗାର କରିଥିଲେ। ଜନସାଧାରଣଙ୍କ ବିପୁଳ ଭିଡ଼ ଓ ସହଭାଗିତା ମେଳାକୁ ସଫଳ କରିଥିଲା।

ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଧନେଶ୍ୱର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ବେହେରା ଓ ପୁଷ୍ପାଞ୍ଜଳୀ ଗୁଆଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ l ସଭାରେ ବିଭିନ୍ନ ଶ୍ରେଣୀରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବିଭାଗ ଓ ଷ୍ଟଲ୍ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଲାଇନ୍ ଡିପାର୍ଟମେଣ୍ଟରେ ନୂଆପଡ଼ା ଆର୍ଟିଓ ବିଭାଗ ପ୍ରଥମ, ଜିଲ୍ଲା ସମାଜ ସୁରକ୍ଷା ବିଭାଗ ଦ୍ୱିତୀୟ ଓ ଜିଲ୍ଲା ଶିକ୍ଷା ବିଭାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହାପରେ ରାଉରକେଲାର ଓଡ଼ିଶୀ ଦଳ, ମା ମାଉଳି ଘୁମୁରାଦଳ କୁଶମାଳ, ୟୁଜିଏଚଏସ ଧୋବେଇ, ସରକାରୀ ଉଚ୍ଚ ବିଦ୍ୟାଳୟ ଆମନାରାର ଛାତ୍ରୀମାନେ ଏବଂ ସ୍ୱର ସିଙ୍ଗାର ଟାନୱାଟର କଳାକାରମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶଙ୍କ ପ୍ରୋତ୍ସାହନରେ କଳାକାର ମାନେ ବାଲ୍ୟ ବିବାହ ଓ ପ୍ରବାସୀ ଶ୍ରମିକ ସମସ୍ୟା ଉପରେ ନାଟକ ପରିବେଷଣ କରିଥିଲେ l ଏହି ସୁଭଦ୍ରା ଶକ୍ତି ମେଳାକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ମିଶନ ଶକ୍ତି ପରିଚାଳକ ସୁନୀଲ କୁମାର ମଲ୍ଲିକ, ଓରମାସ ବିଭାଗ ସଫଳ ଭାବରେ ରୂପାୟନ କରିଥିଲେ l

ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ମେଳାର ସଫଳ ଆୟୋଜନ ପାଇଁ ସମସ୍ତ ଜିଲ୍ଲାବାସୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସଂପୃକ୍ତ ବିଭାଗମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମେଳାର ସଫଳ ଆୟୋଜନ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଆତ୍ମନିର୍ଭରତା ଓ ଉଦ୍ୟମିତାକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ସହିତ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande