
ଭୁବନେଶ୍ୱର,୧୭ ମାର୍ଚ୍ଚ (ହି.ସ.) -ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର ବିଶ୍ୱ ଶକ୍ତି ଦଳ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଓଡ଼ିଶାର ଶକ୍ତି କ୍ଷେତ୍ରରେ ପ୍ରାଥମିକତା ଓ ସମ୍ଭାବନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶ୍ରୀ ବିବେକ ଅଗ୍ରୱାଲଙ୍କ ନେତୃତ୍ୱରେ ଟିବିଆଇ ଦଳ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ସୁଗମ ସମନ୍ୱୟକୁ ଅଗ୍ରାଧିକାର ଦେବ। ଭିଜନ ୨୦୩୬ ଏବଂ ୨୦୪୭ରେ ସ୍ଥିର କରାଯାଇଥିବା ନବୀକରଣୀୟ ଶକ୍ତି ପରିବର୍ତନ ଲକ୍ଷ୍ୟ ସହିତ ସମନ୍ୱୟ ରଖି ଏକ ଶକ୍ତି ରଣନୀତି ବିକଶିତ କରିବା ପାଇଁ ଓଡ଼ିଶାର ଶକ୍ତି ବିଭାଗ, ସହିତ ମିଶି ଟିବିଆଇ କାର୍ଯ୍ୟ କରୁଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ ଯେ ପମ୍ପଡ୍ ଷ୍ଟୋରେଜ୍ ନୀତି, ନବୀକରଣ ଶକ୍ତି ନୀତି, ସବୁଜ ହାଇଡ୍ରୋଜେନ୍ ପ୍ରକଳ୍ପ ଭଳି ଶକ୍ତି କ୍ଷେତ୍ରରେ ଓଡ଼ିଶା ସରକାର ବହୁ ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱଚ୍ଛ ଶକ୍ତି ବ୍ୟବହାର, ଘରୋଇ, ବାଣିଜ୍ୟିକ ଏବଂ ଶିଳ୍ପ ବ୍ୟବହାରକାରୀଙ୍କ ମଧ୍ୟରେ ବିଦ୍ୟୁତ୍ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବାକୁ ମଧ୍ୟ ଦଳକୁ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ। ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ କରିବାକୁ ପଡିବ ଏବଂ ଏହାକୁ ପରମାଣୁ ଓ ଗ୍ରୀନ ହାଇଡ୍ରୋଜେନ ଭଳି ଉଦୀୟମାନ ଉପାଦାନ ଗୁଡ଼ିକ ବାବଦରେ ବିଚାରକୁ ନେବାକୁ ପଡିବ। ବୈଠକରେ ଅଂଶଗ୍ରହଣ କରିଥିବା ସଦସ୍ୟ ମଧ୍ୟରେ ଟିବିଆଇ ପକ୍ଷରୁ ଭାରତ ପାଇଁ ରାଷ୍ଟ୍ର ନିର୍ଦ୍ଦେଶକ ଶ୍ରୀ ବିବେକ ଅଗ୍ରୱାଲ, ଶକ୍ତି ଏବଂ ଜଳବାୟୁର ଗ୍ଲୋବାଲ ଡାଇରେକ୍ଟର ଶ୍ରୀ ଗାରେଥ ୱାଲ୍ସ, ଏସିଆର ବରିଷ୍ଠ ଶକ୍ତି ପରାମର୍ଶଦାତା ଶ୍ରୀ ପିଏରେ ନୋଏଲ ଏବଂ ଟୋନି ବ୍ଲେୟାର ପ୍ରତିଷ୍ଠାନର ରଣନୈତିକ ଯୋଗାଯୋଗ ପରାମର୍ଶଦାତା ଅମର ଜ୍ୟୋତି ମହାପାତ୍ର ଉପସ୍ଥିତ ଥିଲେ। ଶକ୍ତି ବିଭାଗର ବିତ୍ତ ପରାମର୍ଶଦାତା -ତଥା-ସ୍ୱତନ୍ତ୍ର ଶାସନ ସଚିବ ଡକ୍ଟର ଦେବୀ ଦତ ତ୍ରିପାଠି ସୂଚନା ଦେଇଥିଲେ ଯେ ରାଜ୍ୟ ଏକ ସମନ୍ୱିତ ଏବଂ ବ୍ୟାପକ ଶକ୍ତି ରଣନୀତିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଟିବିଆଇ ସହ ଅନ୍ୟ ଏନର୍ଜି ପାର୍ଟନର ମାନଙ୍କର ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇସାରିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପୁରୁଷ ଏକଦିବସୀୟ କ୍ରିକେଟ ସମ୍ବନ୍ଧୀୟ ପୁସ୍ତକ ପ୍ରତିନିଧି ଦଳଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା