
- ତ୍ୱରିତ ସହାୟତା ଯୋଗାଇ ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୭ ମାର୍ଚ୍ଚ (ହି.ସ.) - ମୟୁରଭଞ୍ଜ ଜିଲ୍ଲାର ଘୂର୍ଣ୍ଣିଝଡ଼ ପରିସ୍ଥିତି ଏବଂ କ୍ଷୟକ୍ଷତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଗତ ୧୫ ତାରିଖରେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକରେ ଘୂର୍ଣ୍ଣିବାତ୍ୟା ଯୋଗୁଁ ନିର୍ଦ୍ଦିଷ୍ଟ ଅଂଚଳ ପ୍ରଭାବିତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯାଇଛି। ନିଜର ଅସୁସ୍ଥତା ସତ୍ୱେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସାଧାରଣଜନତାଙ୍କ ସେବାକୁ ପ୍ରାଥମିକତା ଦେଇ ବୈଠକରେ ଉପସ୍ଥିତ ରହି ରାଜ୍ୟ ସରକାର ପ୍ରଭାବିତ ସାଧାରଣଲୋକଙ୍କ ସୁରକ୍ଷା ନିମନ୍ତେ ସମ୍ପୁର୍ଣ୍ଣ ପ୍ରତିବଦ୍ଧ ଥିବା ସହ ଏପ୍ରକାର ବିପର୍ଯ୍ୟୟ ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ସମସ୍ତ ତ୍ୱରିତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ ସେଂଟର ଗୁଡିକର ସୁପରିଚାଳନା ନିଶ୍ଚିତ କରିବା ସହ ବିପର୍ଯ୍ୟୟରେ ପ୍ରଭାବିତ ନଅଗୋଟି ଗ୍ରାମକୁ ନଅଜଣ ଅଧିକାରୀଙ୍କୁ ନୋଡାଲ୍ ଅଫିସର୍ ଭାବେ ଦାୟିତ୍ୱ ଦେଇ ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ ସହ କ୍ଷତିପୂରଣ ପ୍ରଦାନ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପରିଚାଳନା କାର୍ଯ୍ୟ ଜାରି ରହିଛି । ସାଧାରଣଲୋକଙ୍କୁ କୌଣସି ପ୍ରକାର ଅସୁବିଧା ନ ହେବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସେବା ଯୋଗାଇଦିଆଯିବ ବୋଲି ରାଜସ୍ୱ ବିଭାଗ ନିଶ୍ଚିତ କରିଛନ୍ତି ।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ରିପୋର୍ଟ୍ ଅନୁଯାୟୀ, କରଞ୍ଜିଆ ବ୍ଲକ୍ ଅଧୀନରେ ୫ଟି ଗ୍ରାମ ପଂଚାୟତ ଓ ୯ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୩,୨୧୭ ଜଣ ଲୋକ ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ତେବେ, ପ୍ରଶାସନ ପକ୍ଷରୁ ତୁରନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପସ୍ୱରୁପ ୨୨୦୦ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।୬ଟି ରିଲିଫ୍ ସେଂଟର ଖୋଲାଯାଇ କାର୍ଯ୍ୟକ୍ଷମ କରାଯାଇ ସଭିଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। କ୍ଷତିର ବିବରଣୀ ଅନୁଯାୟୀ ପ୍ରାୟ ୫୧୨ଟି ଘର କ୍ଷତିଗ୍ରସ୍ତ ହୋଇଛି କ୍ଷ ତେବେ ରିଲିଫ୍ କାର୍ଯ୍ୟରେ ଆବଶ୍ୟକ ଅନୁଯାୟୀ ପଲିଥିନ୍ ସିଟ୍ ବଂଟନ କରାଯାଇଥିଲା ବେଳେ ପ୍ରଭାବିତ ଅଞ୍ଚଳରେ ୨ଟି ଡାକ୍ତରୀ ଟିମ୍ ନିଯୁକ୍ତ ହୋଇଛନ୍ତି । ୪ଟି ଅଗ୍ନିଶମ ଦଳ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପାଣି ଟ୍ୟାଙ୍କର ଓ ବୋତଲ ମାଧ୍ୟମରେ ପାନୀୟ ଜଳ ଯୋଗାଣ ଅବ୍ୟାହତ ରହିଛି କ୍ଷ ୧୫ ମାର୍ଚ୍ଚ ରାତିରୁ ପ୍ରଭାବିତ ଲୋକଙ୍କୁ ନିରନ୍ତର ଭାବେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି ଏବଂ ବର୍ତ୍ତମାନ କ୍ଷୟକ୍ଷତିର ମୂଲ୍ୟାୟନ କାର୍ଯ୍ୟ ଜାରି ଚାଲିଛି।
ଏହି ସମୀକ୍ଷା ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଂଟିଆ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ୍ କମିଶନର୍ ରାଜେଶ ପ୍ରଭାକର ପାଟିଲ୍, ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍ କମିଶନର,ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲା ବେଳେ କେନ୍ଦ୍ରାଂଚଳ ଆରଡିସି, ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା