
ଇମ୍ଫାଲ, 18 ମାର୍ଚ୍ଚ (ହି.ସ.)- ମଣିପୁରରେ ନିଷିଦ୍ଧ ସଂଗଠନମାନଙ୍କ ବିରୋଧରେ ଚାଲୁଥିବା
ଅଭିଯାନର ଅଂଶ ଭାବରେ ଗତ 24 ଘଣ୍ଟା ମଧ୍ୟରେ ପୁଲିସ ଓ ସୁରକ୍ଷା ବଳ ରାଜ୍ୟର ବିଭିନ୍ନ ଅଞ୍ଚଳରୁ
ତିନୋଟି ଉଗ୍ରବାଦୀ ସଂଗଠନର ତିନିଜଣ କ୍ୟାଡରକୁ ଗିରଫ କରିଛନ୍ତି। ସେମାନଙ୍କ ପାଖରୁ ବିଭିନ୍ନ
ପ୍ରକାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ମଣିପୁର ପୁଲିସ ମୁଖ୍ୟାଳୟ ଦ୍ୱାରା ଆଜି ସକାଳେ ଜାରି କରାଯାଇଥିବା
ବିବୃତିରେ କୁହାଯାଇଛି ଯେ, ମଙ୍ଗଳବାର ସୁରକ୍ଷା
ବଳ କାକଚିଙ୍ଗ ଜିଲ୍ଲାର ସୁଗନୁ ଥାନା ଅଧୀନ ସିଙ୍ଗଟୋମ୍ ଅଞ୍ଚଳରୁ ନିଷିଦ୍ଧ ସଂଗଠନ
ଆରପିଏଫ/ପିଏଲଏର ଏକ ସକ୍ରିୟ କ୍ୟାଡର ଏଲାଙ୍ଗବମ୍ ଅବିନାଶ ଅର୍ଥାତ୍ ରାକେଶ (21) କୁ ଗିରଫ
କରିଛନ୍ତି। ସେ କାକଚିଙ୍ଗ ଜିଲ୍ଲାର ହିୟାଙ୍ଗଲାମ ମାଖା ଲେଇକାଇର ବାସିନ୍ଦା ବୋଲି କୁହାଯାଇଛି।
ଦ୍ୱିତୀୟ ଅଭିଯାନରେ ଏହି ଦିନ ସୁରକ୍ଷା ବଳ ଇମ୍ଫାଲ ପୂର୍ବ ଜିଲ୍ଲାର
ଇରିଲବୁଙ୍ଗ ଥାନା ଅଧୀନ ଇରିଲବୁଙ୍ଗ ହାଇ ସ୍କୁଲ, ବାମୋନ କାମ୍ପୁ ନିକଟରୁ ନିଷିଦ୍ଧ ସଂଗଠନ କେସିପି (ପିଡବ୍ଲ୍ୟୁଜି)ର
ଏକ ସକ୍ରିୟ କ୍ୟାଡର ମୁତୁମ ରଞ୍ଜନ ସିଂହ ଅର୍ଥାତ୍ ମଙ୍ଗଲ (46) କୁ ଗିରଫ କରିଛନ୍ତି। ସେ
ଇମ୍ଫାଲ ପୂର୍ବ ଜିଲ୍ଲାର ୱାଙ୍ଖେଇ ଅୟାଙ୍ଗପଲ୍ଲୀର ବାସିନ୍ଦା। ତାଙ୍କ ପାଖରୁ ଗୋଟିଏ ମୋବାଇଲ
ଫୋନ ଓ ଗୋଟିଏ ସ୍କୁଟର ଜବତ କରାଯାଇଛି।
ତୃତୀୟ ଅଭିଯାନରେ ସୁରକ୍ଷା ବଳ ଇମ୍ଫାଲ ପଶ୍ଚିମ ଜିଲ୍ଲାର
ସିଙ୍ଗଜାମେଇ ଥାନା ଅଧୀନ କାଞ୍ଚିପୁର ଅଞ୍ଚଳରୁ ନିଷିଦ୍ଧ ସଂଗଠନ ପ୍ରୀପାକ (ପ୍ରୋ)ର ଏକ ସକ୍ରିୟ
କ୍ୟାଡର ତାଓରେମ ଅରୁଣକୁମାର ସିଂହ (32) କୁ ଗିରଫ କରିଛନ୍ତି। ସେ ଇମ୍ଫାଲ ପୂର୍ବ ଜିଲ୍ଲାର
ଚାନମ ସାଣ୍ଡ୍ରୋକ ମାଖା ଲେଇକାଇର ବାସିନ୍ଦା। ତାଙ୍କ ପାଖରୁ ଗୋଟିଏ ମୋବାଇଲ ଫୋନ ଓ ଗୋଟିଏ ଆଧାର
କାର୍ଡ ଜବତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା