
ଦୋହା, 19 ମାର୍ଚ୍ଚ (ହି.ସ.)- ଇରାନ କତାରର ରାସ
ଲଫ୍ଫାନ ଇଣ୍ଡଷ୍ଟ୍ରିଆଲ ସିଟି ଉପରେ ମିସାଇଲ ଆକ୍ରମଣ କରିଛି। ଏଠାରେ ବିଶ୍ୱର ସବୁଠାରୁ ବଡ଼
ଲିକୁଇଫାଇଡ୍ ନ୍ୟାଚୁରାଲ ଗ୍ୟାସ (ଏଲଏନଜି) ରପ୍ତାନି ଟର୍ମିନାଲ ଅଛି। ଇରାନ ଏହି ଟର୍ମିନାଲକୁ
ଲକ୍ଷ୍ୟ କରିଥିଲା। ଏହି ଆକ୍ରମଣ ୧୮-୧୯ ମାର୍ଚ୍ଚ ରାତିରେ କରାଯାଇଥିଲା। କତାର କହିଛି ଯେ ଦେଶର
ପ୍ରମୁଖ ଗ୍ୟାସ ସୁବିଧା ରାସ ଲଫ୍ଫାନ ଇଣ୍ଡଷ୍ଟ୍ରିଆଲ ସିଟି ଉପରେ ଇରାନୀ ମିସାଇଲ ଆକ୍ରମଣରୁ
ବ୍ୟାପକ କ୍ଷତି ହୋଇଛି।
ଏବିସି ନ୍ୟୁଜ୍ ଓ ଅଲ ଜଜିରାର
ରିପୋର୍ଟ ଅନୁସାରେ, କତାରର
ବିଦେଶ ମନ୍ତ୍ରାଳୟ ଇରାନର ଏହି ଆକ୍ରମଣକୁ କଠୋର ଭାବରେ ନିନ୍ଦା କରିଛି। ମନ୍ତ୍ରାଳୟ କହିଛି ଯେ
ଏହି ଆକ୍ରମଣର କାରଣରୁ ଟର୍ମିନାଲରେ ନିଆଁ ଲାଗିଯାଇଛି। ରିପୋର୍ଟ ଅନୁସାରେ, କତାରର କର୍ତ୍ତୃପକ୍ଷ କହିଛନ୍ତି ଯେ ଇରାନ ପାଞ୍ଚଟି ବ୍ୟାଲିଷ୍ଟିକ୍
ମିସାଇଲ ଛାଡ଼ିଥିଲା। ସେଥିରୁ ଚାରିଟିକୁ ରୋକାଯାଇଥିଲା, କିନ୍ତୁ ଗୋଟିଏ ମିସାଇଲ ଟର୍ମିନାଲ ଉପରେ ପଡ଼ିଥିଲା। ଏହାଛଡ଼ା ଇରାନ
ଡ୍ରୋନ୍ ମଧ୍ୟ ବ୍ୟବହାର କରିଥିଲା।
କତାର ଏନର୍ଜି ନିଶ୍ଚିତ
କରିଛି ଯେ ଆକ୍ରମଣର ଫଳରେ ଟର୍ମିନାଲରେ ଭୟଙ୍କର ନିଆଁ ଲାଗିଥିଲା ଏବଂ ଭିତ୍ତିଭୂମି ଢାଂଚାକୁ
ବ୍ୟାପକ କ୍ଷତି ହୋଇଛି। ତଥାପି, କାହାର
ମୃତ୍ୟୁ ବା ଆହତ ହେବାର ଖବର ମିଳିନାହିଁ। ରାସ ଲଫ୍ଫାନ ଠାରୁ ବିଶ୍ୱର ପ୍ରାୟ ୨୦ ପ୍ରତିଶତ
ଏଲଏନଜି ଯୋଗାଣ ହୁଏ। ଏହି ଆକ୍ରମଣ ପରେ କତାର ଏଲଏନଜି ଉତ୍ପାଦନକୁ ଅସ୍ଥାୟୀ ଭାବେ ବନ୍ଦ
କରିଦେଇଛି। ଏହାର ପ୍ରଭାବରେ ବିଶ୍ୱ ଉର୍ଜା ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି ଏବଂ ବ୍ରେଣ୍ଟ
କ୍ରୁଡ୍ ତେଲର ଦର ୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା