ରାଜନଗର ଚାଷୀ ମୃତ୍ୟୁ ପାଇଁ ୫୦ ଲକ୍ଷ କ୍ଷତିପୁରଣ ଦାବି
କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ସେବା ସମବାୟ ସମିତି, ଈଶ୍ୱରପୁର ଅଧିନସ୍ଥ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ନୁହେଁ ବରଂ ଏହା ବ୍ୟବସ୍ଥାଗତ ବା ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଓଡିଶା କୃଷକସଭା ଦାବି କରିଛି। ଗତ ଦୁଇ ଦିନ ତଳେ କୃଷକସଭାର ପ
ରାଜନଗର ଚାଷୀ ମୃତ୍ୟୁ ପାଇଁ ୫୦ ଲକ୍ଷ କ୍ଷତିପୁରଣ ଦାବି


କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ସେବା ସମବାୟ ସମିତି, ଈଶ୍ୱରପୁର ଅଧିନସ୍ଥ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ନୁହେଁ ବରଂ ଏହା ବ୍ୟବସ୍ଥାଗତ ବା ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଓଡିଶା କୃଷକସଭା ଦାବି କରିଛି। ଗତ ଦୁଇ ଦିନ ତଳେ କୃଷକସଭାର ପ୍ରତିନିଧି ଦଳ ମୃତ ଚାଷୀଙ୍କ ପରିବାର ଓ ସେବା ସମବାୟ ସମିତିର ସମ୍ପାଦକଙ୍କୁ ଭେଟି ଆଲୋଚନା କଲାପରେ ଉକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛି। ମାସ ମାସ ଧରି ମଣ୍ଡିରେ ଧାନ ପଡିରହିବା, ଶେଷ ମୁହୂର୍ତ୍ତରେ ପଡି ରହିଥିବା ଧାନକୁ ଉଠାଇ ନେଇ ମଣ୍ଡିଠୁ ତିରିଶ କି.ମି. ଦୂର ରାମଚଣ୍ଡୀ ରାଇସ ମିଲରେ ଧାନ ଦେବାକୁ ବାଧ୍ୟ କରିବା ଏବଂ ସମ୍ପୃକ୍ତ ମିଲରେ ଚାରିଦିନ ଧରି ବୋଝେଇ ଟ୍ରାକ୍ଟର ପଡି ରହିବା ସହିତ ମିଲ୍ ମାଲିକ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଓ ଦିନରାତି ମଶା ଡାଆଁସରେ ଆଖିଆ ଅପିଆ ଧାନକୁ ଜଗି ରହି ସେଠାରେ ପଡି ରହିବା ଫଳରେ ତ୍ରିଲୋଚନଙ୍କର ଦେହ ଭୀଷଣ ଅସୁସ୍ଥ ହେବାରୁ ଘରକୁ ଫେରିବାର ଦଶ ମିନିଟ ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେଇ ମୃତ୍ୟୁବରଣ କରିଥିଲେ।

ପ୍ରକାଶ ଥାଉକି, ସେ ଟ୍ରାକ୍ଟର ଭଡା ବାବଦେ ପ୍ରତିଦିନ ଚାରି ହଜାର ଟଙ୍କା ପୈଠ କରୁଥିଲେ। ସାରା ରାଜ୍ୟ ସହିତ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଦିନ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରିରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲାବେଳେ ଏଭଳି ଚାଷୀ ମୃତ୍ୟୁ ପାଇଁ ପଥ ପରଷ୍କାର ହୋଇଛି।ବିଜେପିର ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଗତ ଛ ମାସ ତଳେ ଲଗାଣ ବର୍ଷାରେ ବ୍ୟାପକ ଫସଲ ହାନି ଯୋଗୁଁ ଜିଲ୍ଲାର ତିନି ଜଣ ଚାଷୀ ଆତ୍ମହତ୍ୟା କରିଥିଲା ବେଳେ ଅମଳ ହୋଇଥିବା ଧାନକୁ ଦହଗଞ୍ଜ ହୋଇ ବିକ୍ରିରେ ବିଳମ୍ବ ଯୋଗୁଁ ରାଜନାଗର ଚାଷୀ ମୃତ୍ୟୁବରଣ କରିବା ସରକାରଙ୍କ ପରିବା ପାଣିଆକୁ ପଦାରେ ପକାଇଛି। ମଣ୍ଡି ଜନିତ ମୃତ୍ୟୁ ନୁହେଁ ବୋଲି ଯୋଗାଣ ମନ୍ତ୍ରୀଙ୍କ ବକ୍ତବ୍ୟକୁ ସଂଗଠନ ତୀବ୍ର ସମାଲୋଚନା କରିଛି। କୃଷକ ସଭା ଜିଲ୍ଲା କମିଟି ଦାବି କରିଛି ଯେ, ଏହା ବ୍ୟବସ୍ଥାଗତ ହତ୍ୟା ହୋଇଥିବାରୁ ସମ୍ପୃକ୍ତ ସମବାୟ ସମିତି ସମ୍ପାଦକ ଓ ମିଲ ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ, ମୃତ ଚାଷୀଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ, ମୃତ ଚାଷୀଙ୍କ ବିଧବା ପତ୍ନୀ ଓ ଦୁଇଜଣ ଅବିବାହିତ ଝିଅ ଅଛନ୍ତି। ସେ ଏକମାତ୍ର ରୋଜଗାରକ୍ଷମ ଥିବାରୁ ତାଙ୍କ ପୁଅକୁ ସରକାରୀ ଚାକିରୀରେ ନିଯୁକ୍ତି ଦିଆଯାଉ। ସାରା ଜିଲ୍ଲାରେ ଏଥର ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ଦୂର କରାଯାଉ। କଟଣୀ ଛଟଣି ବନ୍ଦ କରିବା ସହିତ ଚାଷୀଙ୍କ ଠାରୁ ଟୋକନ ଅବଧି ଶେଷ ହେବା ମଧ୍ୟରେ ସବୁ ଧାନକୁ କିଣାଯାଉ । ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଡେପୁଟି କଲେକ୍ଟର ସରୋଜ କୁମାର ଖିଲାର ଦାବିପତ୍ର ଗ୍ରହଣ କରିଥିଲେ।

ରାଜ୍ୟ କମିଟି ସଭ୍ୟ ନରୋତ୍ତମ ପାର୍ଥସାରଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମ୍ପାଦକ ଗୟଧର ଧଳ, ହୃଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଜିଲ୍ଲା ସଭାପତି କାଳିପ୍ରସାଦ ନାୟକ। ସାତ ଦିନ ମଧ୍ୟରେ ସରକାର ଓ ଜିଲ୍ଲା ପ୍ରଶାସନ ଦାବି ପୂରଣ ନକଲେ ବ୍ୟାପକ ଆନ୍ଦୋଳନ କରାଯିବାକୁ ସଂଗଠନ ଧମକ ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande