ଭଦ୍ରକ ଜିଲା ପୁଲିସ୍ର ବଡ ସଫଳତା,ଚୋରି, ଡକାୟତି ଓ ହତ୍ୟା ମାମଲାରେ ସଂପୃକ୍ତ ୪ ଅପରାଧୀ ଗିରଫ,୧ କିଲୋ ସୁନା ଓ ୪ କେଜି ରୂପା ଅଳଙ୍କାର ଜବତ
ଭଦ୍ରକ, ୨ ମାର୍ଚ୍ଚ (ହି.ସ.) - ବିଗତ କିଛିଦିନ ଧରି ଭଦ୍ରକ ସହର ଓ ତାର ଆଖପାଖ ଅଂଚଳରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବରିଷ୍ଠ ନାଗରିକ ଓ ଭଡାରେ ରହୁଥିବା ଲୋକମାନଙ୍କର ଘରୁ ଚୋରି ଡକାୟତି ବୃଦ୍ଧି ପାଉଥିବାବେଳେ ପୁଲିସ୍ ଏଥିନେଇ ହରଡ ଘଣାରେ ପଡିଥିଲା। ଏହି ଡକାୟତ ଗ୍ୟାଙ୍ଗ ମୁଖ୍ୟତଃ ଘରେ
DAKAYATI GANG ARREST, GOLD AND SILVER RESUCE


ଭଦ୍ରକ, ୨ ମାର୍ଚ୍ଚ (ହି.ସ.) - ବିଗତ କିଛିଦିନ ଧରି ଭଦ୍ରକ ସହର ଓ ତାର ଆଖପାଖ ଅଂଚଳରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବରିଷ୍ଠ ନାଗରିକ ଓ ଭଡାରେ ରହୁଥିବା ଲୋକମାନଙ୍କର ଘରୁ ଚୋରି ଡକାୟତି ବୃଦ୍ଧି ପାଉଥିବାବେଳେ ପୁଲିସ୍ ଏଥିନେଇ ହରଡ ଘଣାରେ ପଡିଥିଲା। ଏହି ଡକାୟତ ଗ୍ୟାଙ୍ଗ ମୁଖ୍ୟତଃ ଘରେ କେହି ନଥିବାବେଳେ ଗ୍ରୀଲ ଓ କବାଟ ତାଡିବା ସହ ସିନ୍ଧି କରି କେବଳ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଉଥିଲେ। ଏଥିନେଇ ଥାନାରେ ଅଭିଯୋଗର ଫର୍ଦ୍ଦ ବଢିଚାଲିଥିବାବେଳେ ଲୋକମାନେ ସର୍ବସ୍ୱ ହରାଇ ଚୋରି ଜିନିଷ ପାଇବା ନେଇ ଆଶା ଛାଡି ଦେଇଥିଲେ। କିନ୍ତୁ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶରେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କୁ ନେଇ ଏକ ଟିମ୍ ଏହି ଚୋରି ଡକାୟତ ଗୁଡିକର ଗୁପ୍ତ ତଦନ୍ତ ଜାରି ରଖିଥିଲେ। ସେଥିପାଇଁ ଏହି ଚୋରି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କିଏ ତାକୁ ଧରିବା ପାଇଁ ଏହି ଟିମ୍ ଏକ ଜାଲ ବିଛାଇଥିଲା। ଇତିମଧ୍ୟରେ ଗତ ୨୦୨୬ ଫେବୃୟାରୀ ୯ ତାରିଖ ଦିନ ମଠସାହି ନିବାସୀ ଗୌରହରି ସାହୁଙ୍କ ଅଭିଯୋଗ ମୂଳେ ସହରାଂଚଳ ଥାନା ପୁଲିସ୍ ଏକ ମାମଲା ରୁଜୁ କରିଥିଲା। ଗୌରହରି ଘରେ ନଥିବାବେଳେ ତାଙ୍କ ଘରର କବାଟ ଭାଂଗି ୯୦ ଗ୍ରାମ ସୁନା ଓ ୧୦୦ ଗ୍ରାମ ରୂପା ଅଳଙ୍କାର ଚୋରି ହୋଇଥିଲା। ଫେବୃୟାରୀ ୮ ତାରିଖ ରାତିରେ ଏହି ଘଟଣା ଘଟିଥିବାବେଳେ ପୁଲିସ୍ ନିଜର ତଦନ୍ତକୁ ସଜାଗ କରି ଏହି ଚୋରିରେ ସଂପୃକ୍ତ କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ତିଲଙ୍ଗ ଅଂଚଳର ଦୟା ଓରଫ ଦୈତାରୀ ଦାସକୁ ଫୋନ୍ ଟ୍ରାକ୍ ଧରିଥିଲା। ଦୟା କପାଳି ଷ୍ଟେସନ ନିକଟରେ ଭଡାଘରେ ରହୁଥିବାବେଳେ ତାକୁ କାବୁ କରି ତଦନ୍ତ ଆଗକୁ ନେଇ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା। କେବଳ ଦୟା ନୁହେଁ ତାର ଏହି ଗ୍ୟାଙ୍ଗରେ ପଟ୍ଟାମୁଣ୍ଡାଇ ଥାନା ଅଧୀନ ମାଟିଆ ଗ୍ରାମର ମୁନା ଦାସ, କେନ୍ଦ୍ରାପଡାର କୁନା ଦାସ ଓ ଉମେଶ ଦାସକୁ ଗିରଫ କରିଥିଲା। ତେବେ ଯାଜପୁର କୋରେଇ ଥାନା ପୁରବା କୋଟି ଗ୍ରାମର ଗୋପାଳ ଦାସ ଫେରାର ହୋଇଯାଇଥିଲେ ମଧ୍ୟ ତାଙ୍କ ବାଡିରେ ମାଟି ତଳେ ପୋତା ହୋଇଥିବା ଏକ ସିଲଭର ଡେକ୍ଚି ମଧ୍ୟରୁ ଅଳଙ୍କାର ଉଦ୍ଧାର ହୋଇଥିଲା। ଆଜି ପୁଲିସ୍ର ଏହି ସଫଳତା ନେଇ ସହରାଂଚଳ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ସମସ୍ତ ଚୋରିରେ ସଂପୃକ୍ତ ଦୁଇ ଗ୍ୟାଙ୍ଗ ସଂପର୍କରେ ସୂଚନା ଦେବାକୁ ଯାଇ କିଭଳି ଭାବେ ଦୟାକୁ ଧରି ଏଭଳି ଏକ ବଡ ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲେ, ତାହା ଗଣମାଧ୍ୟମକୁ କହିଛନ୍ତି। ଏହି ଗ୍ୟାଙ୍ଗଟି ସହର ଓ ତାର ଆଖପାଖ ଅଂଚଳରେ ଦୁଇଟି ଗ୍ୟାଙ୍ଗ ଚୋରି କରୁଥିଲେ ବୋଲି ଜଣାପଡିଛି। ଏହି ରାକେଟ୍ରେ ଅନେକ ଅଭିଯୁକ୍ତ ଫେରାର ରହିଥିଲେ ମଧ୍ୟ ସେମାନଙ୍କୁ ଖୁବଶୀଘ୍ର ଗରିଫ କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି। ଉଦ୍ଧାର ହୋଇଥିବା ପ୍ରାୟ ୧ କିଲୋରୁ ଉର୍ଦ୍ଧ୍ୱ ସୁନା ଓ ୪ କେଜି ରୂପା ଅଳଙ୍କାରକୁ ଚୋରି ହୋଇଥିବା ଗୃହକର୍ତାଙ୍କୁ ଫେରସ୍ତ ଦିଆଯିବ ବୋଲି ଶ୍ରୀ ରାଉତ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ୧୫ରୁ ଅଧିକ ଗାଡ଼ିର ନକଲି ନମ୍ୱର୍ ପ୍ଲେଟ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ଚୋରି ସହ ହତ୍ୟା ଓ ଡକାୟତି ମାମଲାରେ ସାମିଲ ଥିବାବେଳେ ସମସ୍ତ ଅଭିଯୁକ୍ତଙ୍କ ନାମରେ ରାଜ୍ୟରେ ୧୫ରୁ ଅଧିକ ଲେଖାଏଁ ମାମଲା ଥିବା ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande