ଜିଲ୍ଲାସ୍ତରୀୟ ‘ମହାସମାଧାନ’ ଜନ ଶୁଣାଣି; ୮୬ଟି ଅଭିଯୋଗର ଶୁଣାଣି ସହ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଝାରସୁଗୁଡ଼ା, ୨ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାସ୍ତରୀୟ ‘ମହାସମାଧାନ’ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଲୋକଙ୍କ ଆପତ୍ତି ଓ ଅଭିଯୋଗର ପ୍ରତ୍ୟକ୍ଷ ଶ
ଜିଲ୍ଲାସ୍ତରୀୟ ‘ମହାସମାଧାନ’ ଜନ ଶୁଣାଣି; ୮୬ଟି ଅଭିଯୋଗର ଶୁଣାଣି ସହ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ


ଝାରସୁଗୁଡ଼ା, ୨ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାସ୍ତରୀୟ ‘ମହାସମାଧାନ’ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଲୋକଙ୍କ ଆପତ୍ତି ଓ ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରାଯାଇ ସେଗୁଡ଼ିକର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଶିବିରରେ ମୋଟ ୮୬ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ଯେଉଁଥିରେ ୬୪ଟି ଗୋଷ୍ଠୀଗତ ସମସ୍ୟା ଏବଂ ୨୨ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ଜିଲ୍ଲାପାଳ ବିଭିନ୍ନ ସରକାରୀ ସହାୟତା ପାଣ୍ଠିରୁ ୩ ଜଣଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ଏଥିମଧ୍ୟରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଜଣଙ୍କୁ ୫,୦୦୦ ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ଦୁଇ ଜଣଙ୍କୁ ଯଥାକ୍ରମେ ୧୦,୦୦୦ ଓ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିସହ ଜଣେ ଯୁବକଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଯୋଗାଇ ଦେବା ପାଇଁ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପ୍ରତି ବ୍ଲକ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୌରାଞ୍ଚଳର ଅଧାପନ୍ତରିଆ ହୋଇ ପଡ଼ିଥିବା ଡ୍ରେନେଜ୍ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ସହ ଖୋଲା ଡ୍ରେନଗୁଡ଼ିକୁ ସୁରକ୍ଷିତ ଭାବେ ଘୋଡ଼ାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଜମି ଚିହ୍ନଟ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ଅବକାରୀ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରି ଲୋକଙ୍କୁ ସେବା ଯୋଗାଇବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande