
ତେହରାନ, 02 ମାର୍ଚ୍ଚ (ହି.ସ.)- ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ
ସୁପ୍ରିମ ଲିଡର ଅଲି ଖାମେନେଇଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧନ କରି କଠୋର
ସତର୍କବାଣୀ ଜାରି କରିଛନ୍ତି। ସେ ଏହାକୁ “ମୁସଲମାନମାନଙ୍କ ବିରୋଧରେ ଯୁଦ୍ଧର ଘୋଷଣା” ବୋଲି
ବର୍ଣ୍ଣନା କରି କହିଛନ୍ତି ଯେ ଦାୟୀ ବ୍ୟକ୍ତିମାନଙ୍କ ଠାରୁ ପ୍ରତିଶୋଧ ନେବା ଇରାନର “ବୈଧ
କର୍ତ୍ତବ୍ୟ ଏବଂ ଅଧିକାର” ଅଟେ।
ରାଷ୍ଟ୍ରକୁ ଦିଆଯାଇଥିବା ତାଙ୍କର ପ୍ରଥମ ବାର୍ତ୍ତାରେ ପେଜେଶ୍କିଆନ
କହିଛନ୍ତି ଯେ ଇରାନୀ ସଶସ୍ତ୍ର ବଳ ଶତ୍ରୁଙ୍କ ଠିକଣାମାନଙ୍କ ଉପରେ “ଶକ୍ତିଶାଳୀ ଆକ୍ରମଣ” ଜାରି
ରଖିବେ। ସେ ଖାମେନେଇଙ୍କୁ “ଶହୀଦ” ଘୋଷଣା କରି କହିଛନ୍ତି ଯେ ଦେଶ ତାଙ୍କର ପଦଚିହ୍ନରେ ଆଗକୁ
ବଢିବ।
ନୂଆ ନେତୃତ୍ୱ ପରିଷଦର ଘୋଷଣା
ରାଷ୍ଟ୍ରପତି ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏକ “ନୂଆ ନେତୃତ୍ୱ
ପରିଷଦ” କାର୍ଯ୍ୟଭାର ଗ୍ରହଣ କରିଛି, ଯାହା ଅନ୍ତର୍କାଳୀନ ସମୟରେ ଶାସନ ବ୍ୟବସ୍ଥାକୁ
ଦେଖାଶୁଣା କରିବ। ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ମସ୍ଜିଦ ଏବଂ ରାସ୍ତାରେ
ଏକତ୍ରିତ ହୋଇ ଶତ୍ରୁଙ୍କ “ଚକ୍ରାନ୍ତ”କୁ ବିଫଳ କରନ୍ତୁ।
ଏହି ମଧ୍ୟରେ ଇରାନ ନିକଟ ଅଞ୍ଚଳରେ ଆମେରିକୀୟ ସେନା ଆଧାର ଏବଂ ଇରାକୀ
କୁର୍ଦିସ୍ତାନର କିଛି ଅଞ୍ଚଳରେ ନୂଆ ଆକ୍ରମଣର ଘୋଷଣା କରିଛି। ଇରାନର ସୁପ୍ରିମ ନ୍ୟାସନାଲ
ସେକ୍ୟୁରିଟି କାଉନସିଲର ପ୍ରମୁଖ ଅଲି ଲାରିଜାନି କହିଛନ୍ତି ଯେ ସଶସ୍ତ୍ର ବଳ ଆକ୍ରମଣର ଦାୟୀ
ପକ୍ଷମାନଙ୍କୁ “ଅବିସ୍ମରଣୀୟ ପାଠ” ଶିଖାଇବେ।
ଉଲ୍ଲେଖନୀୟ ଯେ ପେଜେଶ୍କିଆନ 2024 ମସିହାରେ ସୁଧାରବାଦୀ ପ୍ରାର୍ଥୀ
ଭାବେ ଚୟନିତ ହୋଇଥିଲେ। ସେ ସେପ୍ଟେମ୍ବର 2024ରେ ଜାତିସଂଘ ସାଧାରଣ ସଭାରେ ତାଙ୍କର ପ୍ରଥମ
ଭାଷଣରେ “ଜାତୀୟ ଏକତା” ଏବଂ “ବିଶ୍ୱ ସହ ରଚନାତ୍ମକ ସଂଳାପ” ଉପରେ ଜୋର ଦେଇଥିଲେ। ସେ ସେତେବେଳେ
କହିଥିଲେ ଯେ ଇରାନ ପରମାଣୁ ଅସ୍ତ୍ର ଚାହୁଁନି ଏବଂ ପଶ୍ଚିମ ଦେଶମାନଙ୍କ ସହ ତଣାପୋଡ଼ କମାଇବା
ପାଇଁ ପ୍ରସ୍ତୁତ।
ତଥାପି, ତାଙ୍କର ପ୍ରଥମ ସମ୍ବୋଧନରେ ନବନିର୍ବାଚିତ ଇରାନୀ
ରାଷ୍ଟ୍ରପତିଙ୍କ ଭାବଭଙ୍ଗୀ ସଂପୂର୍ଣ୍ଣ ଭାବେ ରକ୍ଷାତ୍ମକ ଏବଂ ପ୍ରତିଶୋଧାତ୍ମକ ଦେଖାଗଲା।
ଅଞ୍ଚଳରେ ବୃଦ୍ଧିଶୀଳ ସାମରିକ ତଣାପୋଡ଼ ଏବଂ ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ସମ୍ବାଦ ମଧ୍ୟରେ ଇରାନ
ସ୍ପଷ୍ଟ ସଙ୍କେତ ଦେଇଛି ଯେ ସେ ପ୍ରତିଉତ୍ତର ମୂଳକ କାର୍ଯ୍ୟରୁ ପଛକୁ ହଟିବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା