
ଉଜ୍ଜୟିନୀ/ଭୋପାଲ, 02 ମାର୍ଚ୍ଚ (ହି.ସ.)- ଫାଲ୍ଗୁନ
ମାସର ପୂର୍ଣ୍ଣିମା ଅବସରରେ ଆଜି ସୋମବାର ରାତିରେ ସମଗ୍ର ଦେଶରେ ହୋଳିକା ଦହନ ଅନୁଷ୍ଠିତ ହେବ।
ପରମ୍ପରା ଅନୁସାରେ ଦେଶରେ ସବୁଠାରୁ ପ୍ରଥମେ ମଧ୍ୟ ପ୍ରଦେଶର ଉଜ୍ଜୟିନୀର ବିଶ୍ୱପ୍ରସିଦ୍ଧ
ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କ ମନ୍ଦିରରେ ହୋଳିକା ଦହନ କରାଯିବ।
ବାସ୍ତବରେ ଦେଶର ସମସ୍ତ
ପର୍ବପର୍ବାଣୀ ପ୍ରଥମେ ମହାକାଳେଶ୍ୱର ମନ୍ଦିରରେ ପାଳନ କରାଯାଏ। ବର୍ଷ ବର୍ଷ ଧରି ଏହି ପରମ୍ପରା
ଚାଲିଆସୁଛି। ଏହି ପରମ୍ପରା ଅନୁଯାୟୀ ଆଜି ସନ୍ଧ୍ୟାରେ ମହାକାଳେଶ୍ୱର ମନ୍ଦିରରେ ସନ୍ଧ୍ୟା ଆରତି
ସମୟରେ ପୁଜାରୀମାନେ ଭଗବାନ ମହାକାଳଙ୍କୁ ଅବିର ଅର୍ପଣ କରିବେ, ଯାହା ପରେ ସନ୍ଧ୍ୟା ୭.୩୦ଟାରେ ବୈଦିକ ମନ୍ତ୍ରୋଚ୍ଚାର ସହିତ ମନ୍ଦିର
ପରିସରରେ ଗୋବର ଉପଲାରେ ତିଆରି ହୋଇଥିବା ହୋଳିକାର ଦହନ କରାଯିବ।
ମନ୍ଦିରର ପୁଜାରୀ ଆଶୀଷ
ଶର୍ମା କହିଛନ୍ତି ଯେ, ମହାକାଳ ମନ୍ଦିରରେ ସବୁଠାରୁ
ପ୍ରଥମେ ହୋଳି ପାଳନ କରିବାର ପରମ୍ପରା ପ୍ରାଚୀନ କାଳରୁ ଚାଲିଆସୁଛି, ଯେଉଁଥିରେ ଭଗବାନଙ୍କୁ ପ୍ରତୀକାତ୍ମକ ଭାବରେ ଅବିର ଅର୍ପଣ କରାଯାଏ।
ଏହି ବର୍ଷ ଭଗବାନ ମହାକାଳଙ୍କୁ କେବଳ ଗୋଟିଏ କିଲୋ ହର୍ବାଲ ଅବିର ପ୍ରତୀକାତ୍ମକ ଭାବରେ ଅର୍ପଣ
କରାଯିବ।
ସେ କହିଛନ୍ତି ଯେ, ସୁରକ୍ଷା କାରଣରୁ ଏହି ବର୍ଷ ମଧ୍ୟ ସାଧାରଣ ଭକ୍ତମାନଙ୍କୁ ହୋଳିକା
ଦହନ ସ୍ଥଳର ନିକଟକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ପୂର୍ବରୁ ଘଟିଥିବା ଅଗ୍ନିକାଣ୍ଡକୁ
ଧ୍ୟାନରେ ରଖି ମନ୍ଦିର ପ୍ରଶାସନ ବିଶେଷ ସାବଧାନତା ଅବଲମ୍ବନ କରି ଏହି ସିଦ୍ଧାନ୍ତ ନେଇଛି।
ହୋଳିକା ଦହନ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା