

ଖୋର୍ଦ୍ଧା, ୦୨ ମାର୍ଚ୍ଚ (ହି.ସ.) - ପରିବହନ ବିଭାଗ ଓ ଜିଲ୍ଲା ପୋଲିସ ପକ୍ଷରୁ ସଡକ ସୁରକ୍ଷା ପାଇଁ ଅନେକ ସଚେତନତା ଅଭିଯାନ କରା ଯାଉଥିଲେ ମଧ୍ୟ କିଛି ଅମାନିଆ ଓ ପ୍ରତିପତିଶାଳୀ ଅଭିଭାବକ ଓ ତାଙ୍କ ନାବାଳକ ମାନେ ସରକାରୀ ମୋଟର ଯାନ ଆଇନ୍ ନିୟମକୁ ଖିଲାପ କରିଛନ୍ତି। ଏପରିକି ସର୍ବସାଧାରଣ ସ୍ଥାନରେ ବେପରୁଆ ଭାବେ ଦୁଇ ଚକିଆ ଯାନ ଚଳାଉଛନ୍ତି । ତେବେ ଏହାକୁ ଗୁରୁତର ସହ ନେଇ ଖୋର୍ଦ୍ଧା ଜିଲ୍ଲା ପରିବହନ ବିଭାଗ ଓ ଆଦର୍ଶ ଥାନା ପୋଲିସ ପକ୍ଷରୁ ସୋମବାର ଖୋର୍ଦ୍ଧା ଷ୍ଟେଟ ବ୍ୟାଙ୍କ ଛକ ଠାରେ ଚଢ଼ାଉ କରିଥିଲେ। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ମୋଟା ଅଙ୍କର ଅର୍ଥ ଜୋରିମାନା କରାଯିବା ସତ୍ୱେ ମଧ୍ୟ କିଛି ଅଭିଭାବକ ଏବଂ ତାଙ୍କ ନାବାଳକ ଏହାକୁ ଭୃକ୍ଷେପ କରୁନଥିଲେ। ବରଂ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଓଲଟା ନାଲି ଆଖି ଦେଖାଇବା ସହିତ ରାଜନୈତିକ ଚାପ ପ୍ରୟୋଗ କରୁଥିବା ଭଳି କିଛି ଦୃଶ୍ୟ ଆଜି ଖୋର୍ଦ୍ଧା ଅଂଚଳରେ ଦେଖିବାକୁ ମିଳିଥିଲା । ଆଜିର ଚଢାଉରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ମୋଟ ୧୧ଟି ଚାଲାଣ କରାଯାଇଥିବା ବେଳେ ୨ଲକ୍ଷ ୨୬ହଜାର ଟଙ୍କା ଜୋରିମାନା କରାଯାଇଛି । ସେଥିମଧ୍ୟରୁ ନାବାଳକ ଅପରାଧିକ ମାମଲା ୮ଟି ରହିଥିବା ନେଇ ଜଣାପଡିଛି। ପ୍ରକାଶ ଥାଉକି ଆଜିର ଏହି ଚଢ଼ାଉ ସମୟରେ ବିଶେଷ ଭାବେ ମାଟ୍ରିକ ପରୀକ୍ଷାର୍ଥୀ ତଥା ନାବାଳକ ଗାଡ଼ି ଚାଳକ ଧରାପଡ଼ିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରାକେଶ