

ମାଲକାନଗିରି, ୨ ମାର୍ଚ୍ଚ (ହି.ସ.)- ଆଜି ମାଲକାନଗିରି ବିଧାୟକ ନରସିଂହ ମାଡ଼କାମିଙ୍କ ନେତୃତ୍ୱରେ ପଡିଆ ବ୍ଲକ୍ ର ଏମଭି ୫୮ ସିଲାକୋଟା ରୋଡ୍ ନିକଟବର୍ତ୍ତୀ ପାହାଡ଼ ପାଦଦେଶ ସ୍ଥାନରେ ଏକ ଯୌଥ ସ୍ଥଳ ପରିଦର୍ଶନ ଓ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ଥାନରେ ଏକ ଡାଇଭରସନ୍ ୱେୟାର୍ ଡ୍ୟାମ୍ ନିର୍ମାଣ ପାଇଁ ସମ୍ଭାବ୍ୟତା ମୂଲ୍ୟାଙ୍କନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଧାୟକ ପ୍ରତିନିଧି ନିହାର ରାୟ , ପଡ଼ିଆ ବ୍ଲକ ପ୍ରତିନିଧି ମନୋଦିପନ ରାୟ , ପଡ଼ିଆ ସାଂସଦ ପ୍ରତିନିଧି ପାତ୍ର ଭାଇ, କୋଟମ ବାଲାୟା, ଜଗା କମରାମି, ଭବାନୀ ଶଙ୍କର ମୁଖର୍ଜୀ, ମୋହନ ମଣ୍ଡଳ, ଉତ୍ପଳ ରାୟ, ପ୍ରଣୀତ ମଜୁମଦାର, ସରପଞ୍ଚ, ବାପନପଲ୍ଲୀ ସମିତି ସଭ୍ୟ, ବାପନପଲ୍ଲୀ, ପଡିଆ ବିଡ଼ିଓ ଅଶ୍ୱିନ ମହାପାତ୍ର, ଏ ସିଏଫ୍, କାଲିମେଳା ରେଞ୍ଜ (ବନ ବିଭାଗ) ଏସ୍ଇ, କ୍ଷୁଦ୍ର ଜଳସେଚନ ବିଭାଗ, ତହସିଲଦାର, ମୋଟୁ
ପିଇଓ, ବାପନପଲ୍ଲୀ, ବ୍ଲକ୍ ଷ୍ଟାଫ୍ ଓ ପିଆରଆଇ ସଦସ୍ୟମାନେ ଓ ବାପନପଲ୍ଲୀ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।
ଜଙ୍ଗଲ ଭିତରେ ପ୍ରସ୍ତାବିତ ଡ୍ୟାମ ସାଇଟ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତ ଗ୍ରାମବାସୀମାନେ ଏକ ଡ୍ୟାମ୍ ନିର୍ମାଣ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଏହି ଦାବି ୧୯୯୨ ମସିହାରୁ ଚାଲି ଆସୁଛି ବୋଲି ସେମାନେ ଜଣାଇଥିଲେ। ସମସ୍ତେ ମିଳିତ ଭାବେ ଏହି ପ୍ରକଳ୍ପକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଦାବି କରିଥିଲେ। ଘଟଣାସ୍ଥଳ ପରିଦର୍ଶନ ଓ ଆଲୋଚନା ପରେ ଏକ ରେଜୋଲ୍ୟୁସନ୍ ପ୍ରସ୍ତୁତ କରାଯାଇଥିଲା। ପ୍ରକଳ୍ପଟି ସମ୍ଭାବ୍ୟତା ବିଷୟରେ ସର୍ଭେ ପରେ ହିଁ ନିର୍ଦ୍ଧାରଣ ହେବ। ସର୍ଭେ କରାଯିବା ପରେ ଏହା ସମ୍ଭବ କି ନୁହେଁ ତାହା ପରୀକ୍ଷା କରାଯିବ ବୋଲି ବିଧାୟକ ଶ୍ରୀ ମାଡକାମୀ କହିଥିଲେ।
ଏହି ପ୍ରସ୍ତାବିତ ଡାଇଭରସନ୍ ୱେୟାର୍ / ଡ୍ୟାମ୍ ନିର୍ମାଣ ହେଲେ ବାପନପଲ୍ଲୀ, ନରେନ୍ଦ୍ରପୁର (ଏମଭି-୫୮), ଆନ୍ଦଗୁଡ଼ା, କୁଞ୍ଜରଗୁଡ଼ା, ରୋଡ଼ାଗୁଡ଼ା, ଗୋଠନପଲ୍ଲୀ, କୋଟାଗୁଡ଼ା, ଧ୍ରୁବଗୁଡ଼ା ଆଦି ଅଞ୍ଚଳର ବିପୁଳ ପରିମାଣର କୃଷିଜମି ସିଞ୍ଚନ ସୁବିଧା ପାଇବ ଏବଂ ଗ୍ରାମବାସୀମାନଙ୍କର ଜୀବନଧାରଣରେ ବହୁଳ ଉନ୍ନତି ଘଟିବ। ଆଗାମୀ ପଦକ୍ଷେପ ଯଥା ବିସ୍ତୃତ ସର୍ଭେ, ଡିପିଆର୍ ପ୍ରସ୍ତୁତି ଓ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତି ପାଇଁ ମାର୍ଗ ପ୍ରଶସ୍ତ ହେବ।
ଏହି କାର୍ଯ୍ୟକ୍ରମ ସଫଳତାରେ ସମସ୍ତଙ୍କର ସହଯୋଗ ପାଇଁ ବିଧାୟକ ଶ୍ରୀ ମାଡ଼କାମି ଧନ୍ୟବାଦ ଜଣାଇଥିଲେ। ଏହି ସଭାକୁ ନିହାର ରାୟ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ