
ଭୁବନେଶ୍ୱର, ୦୨ ମାର୍ଚ୍ଚ (ହି.ସ)- ଓଡ଼ିଶା ସରକାର ଏହାର ପ୍ରମୁଖ ଡିଜିଟାଲ ପରିଚାଳନା ବ୍ୟବସ୍ଥା“ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସ ଆପ୍ ବଟ୍” ପାଇଁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ର ଅଗ୍ରଣୀ ପ୍ରକାଶନ, “ଏକ୍ସପ୍ରେସ୍ କମ୍ପ୍ୟୁଟର” ଦ୍ୱାରା ‘ଟେକ୍ନୋଲୋଜି ସଭା ଉତ୍କର୍ଷପୁରସ୍କାର’ ପ୍ରାପ୍ତ ହୋଇ ସମ୍ମାନିତ ହୋଇଛନ୍ତି । ଜନସେବା ପ୍ରଦାନ ପାଇଁ ଟେକ୍ନୋଲୋଜିରେ ଶ୍ରେଷ୍ଠତା ପ୍ରତିପାଦନ ଏବଂ ଅଭିନବତ୍ୱକୁ ସ୍ୱୀକୃତି ଦେଇ ୨୭ ଫେବୃଆରୀ ରେ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ଟେକ୍ନୋଲୋଜି ସଭାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନସ୍ଥ ସେଂଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଂଟ ଇନିସିଏଟିଭ(ସିଏମଜିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏକ୍ସପ୍ରେସ କମ୍ପ୍ୟୁଟର ଦ୍ୱାରା ପ୍ରତିଷ୍ଠିତ ‘ଟେକ୍ନୋଲୋଜି ସଭା ଉତ୍କର୍ଷ ପୁରସ୍କାର’ ଭାରତର ପ୍ରଯୁକ୍ତି ଏବଂ ଶାସନ ପରିଚାଳନା କ୍ଷେତ୍ରରେ ଦେଶର ସର୍ବାଧିକ ସ୍ୱୀକୃତିମାନଙ୍କ ମଧ୍ୟରେ ଅନ୍ୟତମ ସମ୍ମାନଜନକ ସ୍ୱୀକୃତି । ବରିଷ୍ଠ ସରକାରୀ ନେତୃବୃନ୍ଦ, ଶିଳ୍ପ ବିଶେଷଜ୍ଞ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ପ୍ରତିଷ୍ଠିତ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ସଠିକ୍ ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।
ଆମା ସାଥି ଏକୀକୃତ ହ୍ୱାଟ୍ସଆପ୍ ବଟ୍ ଏକ ପରିବର୍ତନଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଭାବେ ଉଦ୍ଭବ ହୋଇଛି ଯାହାକି ନାଗରିକମାନଙ୍କୁ ଏକକ ବ୍ୟବସ୍ଥାରେ, ସହଜରେ ଏବଂ ପରିଚିତ ଇଂଟରଫେସ୍ ମାଧ୍ୟମରେ ହ୍ୱାଟ୍ସ ଆପ୍ ଜରିଆରେ ବହୁ ପ୍ରକାର ସରକାରୀ ସେବା ଏବଂ ସୂଚନା ପାଇବାକୁ ସକ୍ଷମ କରୁଛି । ଏହା ଫଳରେ ସେବା ପାଇବାକୁ ଥିବା ବ୍ୟକ୍ତି ବା ହିତାଧିକାରୀଙ୍କୁ ସରକାରୀ କାର୍ଯ୍ୟାଳୟକୁ ବାରଂବାର ଆସିବାକୁ ପଡ଼ୁନାହିଁ ଏବଂ ବିଭିନ୍ନ ପ୍ରକାର ଦରଖାସ୍ତ ବା ଆବେଦନ କରିବାର ଆବଶ୍ୟକତାକୁ ବହୁମାତ୍ରାରେ ଦୂର କରାଯାଇପାରିବା ସହିତ ସାର୍ବଜନୀନ ସେବା ଉପଲବ୍ଧତା, ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ବୃଦ୍ଧି ପାଇଛି ।
ପୁରସ୍କାର ପ୍ରାପ୍ତି ଅବସରରେ ଶ୍ରୀ ସୁରେନ୍ଦ୍ର କୁମାର ମୀନା କହିଛନ୍ତି ଯେ, “ଆମ ସାଥୀ ୟୁନିଫାଇଡ୍ ହ୍ୱାଟସ୍ଆପ୍ ବଟ୍ ଓଡିଶାର ପ୍ରତ୍ୟେକ ନାଗରିକଙ୍କ ଦ୍ୱାରରେ ସରକାରୀ ସୁବିଧା ସୁନିଶ୍ଚିତ କରିବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନାଗରିକମାନେ ତାଙ୍କର ଦୈନନ୍ଦିନ ଜୀବନରେ ହ୍ୱାଟ୍ସ ଆପ ଭଳି ପ୍ଲାଟଫର୍ମ ବ୍ୟବହାର କରୁଥିବାରୁ ସେହି ପ୍ଲାଟଫର୍ମକୁ ଉପଯୋଗ କରି ସରକାରୀ ସେବାଗୁଡିକୁ ଅଧିକ ପହଞ୍ଚଯୋଗ୍ୟ, ସମାବେଶୀ ଏବଂ ଦାୟିତ୍ୱ ସଂପନ୍ନ ଭାବେ କାର୍ଯ୍ୟକାରୀ କରାଯାଉଛି । ଏହି ପଦକ୍ଷେପ ନାଗରିକ-କେନ୍ଦ୍ରିକ ଶାସନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି , ଯେଉଁଠାରେ ପ୍ରଯୁକ୍ତି ବିଦ୍ୟା ଏକ ସଶକ୍ତ, ଭରସାଯୋଗ୍ୟ , ବିଶ୍ୱସନୀୟ ଏବଂ ପାରଦର୍ଶିତାର ସହ କାର୍ଯ୍ୟ କରିବାକୁ ସକ୍ଷମ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା