
ଦାର୍ଜିଲିଂ, 02 ମାର୍ଚ୍ଚ (ହି.ସ.)- ପଶ୍ଚିମ ବଙ୍ଗରେ
ବିଧାନସଭା ନିର୍ବାଚନ ପୂର୍ବରୁ ଗୋର୍ଖାଲ୍ୟାଣ୍ଡ ପ୍ରସଙ୍ଗ ପୁନର୍ବାର ରାଜନୈତିକ ଚର୍ଚ୍ଚାରେ
ଆସିଛି। ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ସ୍ତରର ନେତା ନିତିନ ନବୀନଙ୍କ ସହ
ହୋଇଥିବା ବୈଠକରେ ଗୋର୍ଖା ସମୁଦାୟର ପ୍ରତିନିଧିମାନେ ନିଜମାନଙ୍କ ପୁରୁଣା ଦାବିଗୁଡ଼ିକୁ
ଉଠାଇଥିଲେ।
ଗୋର୍ଖା ନେତାମାନେ ସ୍ପଷ୍ଟ
କରିଥିଲେ ଯେ,
ଯଦି ଗୋର୍ଖାଲ୍ୟାଣ୍ଡ ଗଠନ ସମ୍ଭବ ନୁହେଁ, ତେବେ ଉତ୍ତର ବଙ୍ଗକୁ କେନ୍ଦ୍ରଶାସିତ ପ୍ରଦେଶ କରାଯାଉ। ଏହି ବୈଠକ
ବଙ୍ଗ ବିଜେପିର ‘ପରିବର୍ତ୍ତନ ଯାତ୍ରା’ ସନ୍ଦର୍ଭରେ ସିଲିଗୁଡ଼ିରେ ଆୟୋଜିତ ହୋଇଥିଲା, ଯେଉଁଠାରେ ଗୋର୍ଖା ସମୁଦାୟର ପ୍ରତିନିଧିମାନେ ନିତିନ ନବୀନଙ୍କୁ
ପାରମ୍ପରିକ ଗୋର୍ଖା ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।
ବୈଠକରେ ଗୋର୍ଖା ସମୁଦାୟ
ପହାଡ଼ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି କହିଥିଲେ ଯେ, ୨୦୦୭ ମସିହାର ଆନ୍ଦୋଳନ ପରେ ଗୋର୍ଖାଲ୍ୟାଣ୍ଡ ଟେରିଟୋରିଆଲ୍
ଆଡମିନିଷ୍ଟ୍ରେସନ୍ (ଜିଟିଏ) ଗଠିତ ହୋଇଥିଲା, କିନ୍ତୁ
ସମସ୍ୟାର ସମାଧାନ ହୋଇନି। ଦୀର୍ଘଦିନ ଧରି ଗୋର୍ଖାଲ୍ୟାଣ୍ଡ ଦାବିକୁ ନେଇ ଆନ୍ଦୋଳନରତ ଗୋର୍ଖା
ସମୁଦାୟର କହିବା ଅନୁଯାୟୀ, ରାଜ୍ୟ ସରକାର ଏହି ପ୍ରସଙ୍ଗରେ
ଗମ୍ଭୀର ନୁହେଁ।
ରାଜନୈତିକ ବିଶ୍ଳେଷକମାନଙ୍କ
ମତ ଅନୁଯାୟୀ,
ରାଜ୍ୟ ବିଭାଜନର ପ୍ରଶ୍ନ ବିଜେପି ପାଇଁ ମଧ୍ୟ ସେନ୍ସିଟିଭ୍ ଅଟେ।
ତଥାପି ଏଥର ଗୋର୍ଖାମାନେ ବିକଳ୍ପ ଭାବେ ଉତ୍ତର ବଙ୍ଗକୁ କେନ୍ଦ୍ରଶାସିତ ପ୍ରଦେଶ କରିବା ଦାବି
ଉଠାଇଛନ୍ତି। ବୈଠକ ପରେ ଦାର୍ଜିଲିଙ୍ଗରୁ ବିଜେପି ବିଧାୟକ ନୀରଜ ଜିମ୍ବା କହିଥିଲେ ଯେ, ଯେତେବେଳେ ଗୋର୍ଖାମାନଙ୍କ ସହ ବୈଠକ ହେବ, ସେତେବେଳେ ଗୋର୍ଖାଲ୍ୟାଣ୍ଡ ପ୍ରସଙ୍ଗ ଉଠିବା ସ୍ୱାଭାବିକ। ଦାର୍ଜିଲିଂରୁ
ବିଜେପି ସାଂସଦ ରାଜୁ ବିସ୍ତା କହିଥିଲେ ଯେ, ପ୍ରତ୍ୟେକଙ୍କୁ
ନିଜ ମତ ରଖିବାର ଅଧିକାର ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା