
ପୁରୀ, ୨ ମାର୍ଚ୍ଚ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ ୭୪ଟି ଅଭିଯୋଗ ମିଳିଥିଲା। ସେଥିରୁ ୬୩ଟି ବ୍ୟକ୍ତିଗତ, ୮ଟି ଗ୍ରାମ ସମ୍ବନ୍ଧୀୟ ଓ ୩ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ସମ୍ପର୍କରେ ରହିଥିଲା। ତତକ୍ଷଣାତ ୭ଟି ଅଭିଯୋଗର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା। ଏହି ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା. ଅକ୍ଷୟ କୁମାର ଶତପଥୀ, ପୁରୀ ତହସିଲଦାର ଅଭିଷେକ ଦାଶ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ, ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଆସନ୍ତା ୯ ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ ଗୃହରେ,୧୬ ତାରିଖରେ ପିପିଲି ବ୍ଲକ ସମ୍ମିଳନୀ ଗୃହରେ,୨୩ ତାରିଖରେ ଡେଲାଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ଓ ୩୦ ତାରିଖରେ ଗୋପ ବ୍ଲକ ସମ୍ମିଳନୀ ଗୃହରେ ପୂର୍ବାହ୍ନ ୧୦ଟାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ ପ୍ରକାଶ।
ହିନ୍ଦୁସ୍ଥାନ ସମାଚାର / ବିଜୟ