
କେନ୍ଦ୍ରାପଡା, ୨ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ କୃଷି ସମବାୟ ସମିତିରେ ୯୬୧ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୬୨୭ ଜଣ ଚାଷୀ ସେମାନଙ୍କ ବଳକା ଧାନ ସମିତିରେ ବିକ୍ରି କରି ସାରିଛନ୍ତି । ଅବଶିଷ୍ଟ ୩୩୪ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରି କରି ନଥିବା ବେଳେ ପ୍ରାୟ ୫୦ ଜଣ ଚାଷୀଙ୍କର ଟୋକନ ଅବଧି ସରିଲାଣି । ମଣ୍ଡିରେ ଧାନ ପଡି ରହିଥିବା ବେଳେ ମିଲରଙ୍କର ଅସହଯୋଗ ଯୋଗୁଁ ଧାନ ଉଠି ପାରୁନାହିଁ । ତୁରନ୍ତ କୁତରଙ୍ଗ କୃଷି ସମବାୟ ସମିତିକୁ ୩୩୪ ଜଣ ଚାଷୀଙ୍କ ଧାନ ଉଠାଇବା ପାଇଁ ଟାର୍ଗେଟ ଦେବା ସହ ଟୋକନ ଅବଧି ସରିଥିବା ୫୦ ଜଣ ଚାଷୀଙ୍କର ପୁନର୍ବାର ନବୀକରଣ କରିବା ପାଇଁ କୁତରଙ୍ଗ କୃଷି ସମବାୟ ସମିତିର ସଭାପତି ପଦ୍ମନାଭ ସାହୁ, ପୂର୍ବତନ ସରପଂଚ ରାଜନ ପ୍ରସାଦ ଥାଟୋଇ, ମହେନ୍ଦ୍ର ସାହୁ, ରଂଜନ ଜେନା, ପ୍ରଦିପ ନାୟକ, ପ୍ରଶାନ୍ତ ଜେନା, ଅବୟ ଦାସ, ରତ୍ନାକର ଦାସ, ବିପିନ ମଲିକ, ମାୟାଧର ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି