

ସମ୍ବଲପୁର, ୨ ମାର୍ଚ୍ଚ (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବସଷ୍ଟାଣ୍ଡରେ ଗତ ଦୁଇଦିନ ହେବ କିଛି ଏକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ନିର୍ମାଣ ନେଇ କୌଣସି ଫଳକ ମରାଯାଇ ନଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧି ଏହାର ଅନୁସନ୍ଧାନ କରିଥିଲେ । ଶେଷରେ ଏହା ଏକ ସାର୍ବଜନୀନ ଶୌଚାଳୟ ତିଆରି କରାଯାଉଥିବା ଜଣାପଡିଥିଲା l ହେଲେ ସର୍ବସାଧାରଣଙ୍କୁ ଲୁଚାଇ ଏଭଳି ନିର୍ମାଣ କାର୍ଯ୍ୟ କାହିଁକି କିଏ କରାଉଛି ସେନେଇ ସାଧାରଣ ଲୋକଙ୍କ ସହ ଗଣମାଧ୍ୟମର ମଧ୍ୟ ବେଶ୍ ଉତ୍ସୁକତା ପ୍ରକାଶ ପାଇଥିଲା ।
ସୂଚନାନୁଯାୟୀ, ବଡ଼ମାଳ ବସଷ୍ଟାଣ୍ଡ ପଛପଟେ ଏକ ସାର୍ବଜନୀନ ଶୌଚାଳୟ ଅତି ସନ୍ତର୍ପଣରେ ବିନା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ହେଉଛି l ଗୋଟିଏ ପଟେ ସରକାର ନିର୍ଦ୍ଦେଶ ଦେଇଛନ୍ତି ପ୍ରତ୍ୟେକ ସରକାରୀ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେଠାରେ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ । ମାତ୍ର ଏଠାରେ କେତେ ଟଙ୍କା ବ୍ୟୟ ଅଟକଳରେ କେଉଁ ବିଭାଗ ପକ୍ଷରୁ, କେଉଁ ଠିକାଦାର କରୁଛନ୍ତି ତାହାକୁ ସମ୍ପୂର୍ଣ୍ଣ ଲୁକ୍କାୟିତ ରଖାଯିବାର କାରଣ କିଛି ଭିନ୍ନ ଦିଗକୁ ଇଙ୍ଗିତ କରାଇଛି । ଯାହା ଫଳରେ ନିମ୍ନମାନର କାର୍ଯ୍ୟ କରି ମୋଟା ଅଙ୍କର ଅର୍ଥ ହରିଲୁଟ୍ କରାଯିବାର ଏହା ଏକ ଅଭିସନ୍ଧି ବୋଲି ସାଧାରଣରେ ଅଭିଯୋଗ ହେବା ସହ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଘଟଣାର ସତ୍ୟତା କ'ଣ ସେ ନେଇ କିଛି ଗଣମାଧ୍ୟମ ପ୍ରତିନିଧି ବଡ଼ମାଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସିଉଳି ତୀର୍କିଙ୍କ ସହ ଯୋଗାଯୋଗ କରିବା ପାଇଁ ଫୋନ୍ କରିଥିଲେ । ମାତ୍ର ମୋବାଇଲ କଲର ଆଇଡିରେ ସାମ୍ବାଦିକଙ୍କ ଫୋନ୍ ନମ୍ବର ଜାଣି ସେ ଫୋନ୍ ଉଠାଇ ନଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏଭଳି ଆଚରଣ ଦେଖି ସେ କେଉଁ ତଥ୍ୟ ଲୁଚାଇବାକୁ ଗଣମାଧ୍ୟମ ଠାରୁ ଦୂରତା ରଖୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ବସଷ୍ଟାଣ୍ଡ ନିକଟରେ ଶୌଚାଳୟ ନଥିବାରୁ ବିଭିନ୍ନ ସମୟରେ ମହିଳା ଯାତ୍ରୀମାନେ ଅକଥନୀୟ ହିନସ୍ତା ହୋଇଥାଆନ୍ତି । ସାର୍ବଜନୀନ ଶୌଚାଳୟ ନିର୍ମାଣ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, ହେଲେ ବିନା ନାମଫଳକରେ ନିର୍ମାଣ ଓ ଗଣମାଧ୍ୟମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଲୁଚକାଳି ଖେଳ ଏହି କାର୍ଯ୍ୟର ବୈଧତାକୁ ବାଧ୍ୟବାଧକରେ ତଦନ୍ତ ପରିସରକୁ ଟାଣିବାକୁ ବାଧ୍ୟ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ