
ହାଇଦ୍ରାବାଦ, ୨୪ ମାର୍ଚ୍ଚ (ହି.ସ.)- ସୋସିଆଲ ମିଡ଼ିଆରେ ଆତଙ୍କବାଦୀ ଚିନ୍ତାଧାରାକୁ ସମର୍ଥନ କରିବା ଏବଂ ଏକ ଆତଙ୍କବାଦୀ ନେଟୱାର୍କ ସହିତ ଲିଙ୍କ୍ ଆଶଙ୍କାରେ ବିଜୟୱାଡାରୁ ତିନି ଜଣଙ୍କୁ ଗିରଫ କରିଛି ଆନ୍ଧ୍ର ପ୍ରଦେଶ ପୋଲିସ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି । ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଜଣେ ପୋଲିସ ଅଧିକାରୀ ମଙ୍ଗଳବାର ସେମାନଙ୍କ ଗିରଫଦାରୀକୁ ନିଶ୍ଚିତ କରିଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ, ଗୁଇନ୍ଦା ଅଧିକାରୀଙ୍କ ମିଳିତ ଅଭିଯାନରେ ସୋମବାର ବିଜୟୱାଡାର ଟୁ ଟାଉନ୍ ଅଂଚଳରୁ ରହମତୁଲ୍ଲା ଶରିଫ୍ (୨୩), ମିର୍ଜା ସୋହେଲ୍ ବେଗ୍ (୨୩) ଏବଂ ମହମ୍ମଦ ଦାନିଶ୍ (୨୭)ଙ୍କୁ ଗିରଫ କରାଯାଇଥିଲା । ଏହି ବ୍ୟକ୍ତିମାନଙ୍କ ଉପରେ ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଆତଙ୍କବାଦୀ ଚିନ୍ତାଧାରା ବିଶିଷ୍ଟ ସାମଗ୍ରୀ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଏବଂ ପ୍ରସାରିତ କରିବାର ଅଭିଯୋଗ ରହିଛି । ସେ କହିଛନ୍ତି ଯେ, ତିନି ସନ୍ଦିଗ୍ଧଙ୍କ ସମ୍ପର୍କ ଏବଂ ସେମାନଙ୍କ ଗତିବିଧି ବାବଦରେ ଯାଂଚ୍ କରାଯାଉଛି ।
ପୋଲିସ ଅଧିକାରୀ କହିଛନ୍ତି ଯେ, ଇରାନ-ଇସ୍ରାଏଲ ଯୁଦ୍ଧକୁ ଦୃଷ୍ଟିରେ ରଖି, ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସାମାଜିକ ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଅନଲାଇନ୍ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛନ୍ତି । ଏହି ବ୍ୟକ୍ତିମାନେ ଏହି ସମୟ ମଧ୍ୟରେ ପୋଲିସ ଯାଂଚ୍ ର ଅଧୀନରେ ଆସିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଗୋଷ୍ଠୀ ସାରା ଦେଶରେ କାର୍ଯ୍ୟ କରୁଥିବା ପ୍ରାୟ ୧୦ ସଦସ୍ୟଙ୍କ ଏକ ନେଟୱାର୍କର ଅଂଶ, ଯେଉଁମାନେ ଯୁବକମାନଙ୍କୁ ପ୍ରଭାବିତ କରି ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ