
ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ଭଦ୍ରକ ସହର ଓ ତାର ଆଖପାଖ ଅଂଚଳରେ ଚୋରି କରୁଥିବା ଏକ ମୋଟର ସାଇକେଲ୍ ରାକେଟକୁ ଆଜି ସହରାଂଚଳ ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଏ ସଂପର୍କରେ ସହରାଂଚଳ ଥାନାରେ ସିଟି ଡିଏସ୍ପି ଅନିଲ କୁମାର ପ୍ରଧାନ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ୨ ତାରିଖ ଦିନ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଓଲଙ୍ଗ ପତିସାହି ନିବାସୀ ଜିତେନ୍ଦ୍ର ପ୍ରସାଦ ପତି ବାଗୁରାଇ ସ୍ଥିତ ସରକାରୀ ଅର୍ବାନ ପ୍ରାଇମେରୀ ହେଲଥ୍ ସେଂଟରକୁ ନିଜ ପତ୍ନୀଙ୍କୁ ଚିକିତ୍ସା ପାଇଁ ଆସିଥିଲେ। ସେ ନିଜର ହିରୋ ଏଚଏଫ ଡିଲକ୍ସ ଓଡି-୨୨ଏଚ-୨୩୨୮ ନମ୍ବର ମୋଟର ସାଇକେଲଟିକୁ ହସ୍ପିଟାଲ କ୍ୟାମ୍ପସରେ ରଖି ୧୫/୨୦ ମିନିଟ୍ ମଧ୍ୟରେ ଫେରିବା ପରେ ତାହା ପାର୍କିଂ ସ୍ଥାନରେ ନଥିବାର ଦେଖିବାକୁ ପାଇଥିଲେ। ସେ ନିଜ ଗାଡିଟିକୁ ଖୋଜାଖୋଜି କରିବା ପରେ ନପାଇବାରୁ ୧୬ ତାରିଖ ଦିନ ସନ୍ଧ୍ୟା ୫.୪୪ ମିନିଟ୍ ସମୟରେ ଭଦ୍ରକ ସହରାଂଚଳ ଥାନାରେ ଥାନା କେଶ୍ ନଂ ୧୯୪/୨୬, ଦଫା ୩୦୩(୨) ବିଏନଏସ ମୂଳେ ଏକ ମାମଲା ଅନଲାଇନ୍ ଜରିଆରେ କରିଥିଲେ। ଏହି ଘଟଣାରେ ଏଏସଆଇ ବିରୁପାକ୍ଷ ସାହୁ ତଦନ୍ତ ଦାୟିତ୍ୱ ନେଇ ଯାଂଚ କରିବା ସମୟରେ ମୁଖ୍ୟ ଅଭିଯୁକ୍ତ ଅପର୍ତିବିନ୍ଧା ନିବାସୀ ହରିହର ବାରିକଙ୍କ ପୁତ୍ର ଅବିନାଶ (୨୧) କୁ ଚିହ୍ନଟ କରିଥିଲେ। ତେବେ ତଦନ୍ତ ସମୟରେ ଅବିନାଶ ଓ ତାର ଜଣେ ନାବାଳକ ସହଯୋଗୀ ସମେତ ୫ ଜଣଙ୍କୁ ପୁଲିସ୍ ଗିରଫ କରି ସେମାନଙ୍କ ନିକଟରୁ ସହରାଂଚଳ,ଗ୍ରାମାଂଚଳ ଓ ତିହିଡି ଭଳି ଆଖପାଖ ଅଂଚଳରୁ ଚୋରି ହୋଇଥିବା ବିଭିନ୍ନ କଂପାନୀର ୧୫ଟି ମୋଟର ସାଇକେଲ୍କୁ ଜବତ କରିଛନ୍ତି। ଏହି ୫ ଜଣଙ୍କ ମଧ୍ୟରେ ଉଦ୍ଦେଶ୍ୟମୂଳକ ଭାବେ କମ୍ ଦାମରେ କ୍ରୟ କରିଥିବା ମୋଟର ସାଇକେଲ୍ କ୍ରେତାଙ୍କ ମଧ୍ୟରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ବଉଳପୋଖରୀ ନିବାସୀ ଖଗେଶ୍ୱର ମଲ୍ଲିକଙ୍କ ପୁତ୍ର ଗଗନ (୩୨), ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଡଗରାସାହି ନିବାସୀ ଆଲ୍ଲାଉଦ୍ଦିନ୍ ଖାନଙ୍କ ପୁତ୍ର ନିଜାମୁଦ୍ଦିନ୍ (୨୮) ଓ ବାଗୁରାଇ ଆଦିବାସୀ କଲୋନୀ ନିବାସୀ ବୁଦୁ ମୁଣ୍ଡାର ପୁତ୍ର ମୁକୁର ମୁଣ୍ଡା ଓରଫ ମନୁ (୧୯) କୁ ପୁଲିସ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଗାଡି ଗୁଡିକୁ ତାର ରେଜିଷ୍ଟ୍ରେସନ ନମ୍ବର ଯାଂଚ କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ସିଟି ଡିଏସପି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ