
ଭଦ୍ରକ, ୨୪ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ,ନୁଆ ବଜାର ସ୍ଥିତ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଇଥାଏ। ଏହି ବର୍ଷର ବିଷୟବସ୍ତୁ ହେଉଛି “ୟଏସ୍ ୟୁ କେନ୍ ଏଣ୍ଡ ଟିବି - ଲେଡ୍ ବାଏ ଭାରତ ପାୱାରର୍ଡ ବାଏ ଜନଭାଗୀଦାରୀ” । ଏହି ଅବସରରେ ଏକ ସଚେତନତା ମୂଳକ ସଭା ସହିତ ଆଲୋଚନା, ଡିବେଟ୍ ଓ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ସିଏଚସି ଧାମନଗର ଓ ସିଏଚସି ବରପଦାର ଏମପିଏଚଡବ୍ଲ୍ୟୁ (ପୁରୁଷ) କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି, ତାହାର ନିରାକରଣ ଓ ସମାଜର ସମ୍ମିଳିତ ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ସହଭାଗିତା ମାଧ୍ୟମରେ ଯକ୍ଷ୍ମା ମୁକ୍ତ ଭାରତ ଗଠନ ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ଡାକ୍ତରମାନେ ଯୋଗଦେଇ “ଟିବି ମୁକ୍ତ ଭାରତ” ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ସେମାନେ ଯକ୍ଷ୍ମା ରୋଗର ପରୀକ୍ଷା ଓ ଚିକିତ୍ସା ସରକାରୀ ଚିକିତ୍ସାଳୟରେ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ଥିବା, ଦୀର୍ଘ ସମୟ ଧରି କାଶ ହେବା ଯକ୍ଷ୍ମାର ମୁଖ୍ୟ ଲକ୍ଷଣ ହେବା ସହିତ ଏହି ରୋଗ ବାୟୁ ମାଧ୍ୟମରେ ପ୍ରସାରିତ ହେବା ଓ ନିୟମିତ ଔଷଧ ସେବନ ଦ୍ୱାରା ଯକ୍ଷ୍ମାକୁ ସଂପୂର୍ଣ୍ଣ ଭାବେ ନିରାମୟ କରାଯାଇପାରିବ ବୋଲି ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ବିଶେଷଜ୍ଞ ଡାକ୍ତର ସନ୍ତୋଷ ପୃଷ୍ଟି, ବରିଷ୍ଠ ଡାକ୍ତର ସୁଧି ରଞ୍ଜନ ନାୟକ, ଡାକ୍ତର ମିନତି ଲତା ଦାସ, ଡାକ୍ତର ପାର୍ଥ ସାରଥୀ ମିଶ୍ର, ଡାକ୍ତର ଜୟନ୍ତ ପଣ୍ଡା, ଡ. ଲଳିତା ସୋରେନ ,ଡିପିଏମ ବନବିହାରୀ ମିଶ୍ର, ଜନସ୍ୱାସ୍ଥ୍ୟ ବିଭାଗ ସମ୍ପ୍ରସାରଣ ଅଧିକାରୀ ଅନିତା ରାଣୀ ରାଉତ ଓ ବିଭାଗୀୟ ସଂଯୋଜକ ନିବାସ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସଚେତନତା ବାର୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାରେ ବର୍ତମାନ ୫୭୭ ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଥିବା ବୋଲି ସିଡିଏମଓ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ ସୂଚନା ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ