
- ଶୁଭେଚ୍ଛା ଜଣାଇଲେ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଇତିହାସ ରଚିଛନ୍ତି । ଦେଶରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ଶାସନ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବାରେ ପ୍ରଧାନମନ୍ତ୍ରୀ ମୋଦିଜୀ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ବର୍ତମାନ ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଟ ୮୯୩୩ ଦିନର ପର୍ଯ୍ୟନ୍ତ ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ମୋଦିଜୀ ଲୋକଙ୍କ ସେବା କାର୍ଯ୍ୟ ଜାରି ରଖିଛନ୍ତି । ତାଙ୍କର ଏହି ଲମ୍ବା ସମୟର ଦାୟିତ୍ୱ ଭାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଏହି କୀର୍ତିମାନ ସ୍ଥାପନ କରିଥିବାରୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରତି ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାଙ୍କ କାର୍ଯ୍ୟକାଳ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମୋଦିଜୀ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ତାହା ନିଶ୍ଚିନ୍ତ ପୂରଣ ହେବ ଏବଂ ତାଙ୍କ ଶାସନ କାଳରେ ଭାରତ ବିଶ୍ୱଗୁରୁ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦିଜୀ ଏଭଳି ଅନେକ ଇତିହାସ ସୃଷ୍ଟି କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା