ଭିଏସ୍ଏସ୍ ନଗର ହାଟ ହେବ ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ମାର୍କେଟ୍ • ବିଏମ୍ ସି ପକ୍ଷରୁ ଆରମ୍ଭ ହେଲା ଆଇଇସି କାର୍ଯ୍ୟକ୍ରମ
Bhubaneswar, 24 ମାର୍ଚ୍ଚ (ହି.ସ.) ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ର ଆଉ ଏକ ଅଭିଯାନ । ରସୁଲଗଡ଼ ନିକଟ ମା’ କୋଚିଲେଇ ହାଟକୁ ସଂପୂର୍ଣ୍ଣ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ମାର୍କେଟ ଭାବେ ଘୋଷଣା କରାଯିବା ପରେ ଏବେ ଭିଏସ୍ ଏସ୍ ନଗର ଓ ଡମଣା ହାଟକୁ ମଧ୍ୟ ଏକକ ବ୍
ଭିଏସ୍ଏସ୍ ନଗର ହାଟ ହେବ ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ମାର୍କେଟ୍ • ବିଏମ୍ ସି ପକ୍ଷରୁ ଆରମ୍ଭ ହେଲା ଆଇଇସି କାର୍ଯ୍ୟକ୍ରମ


Bhubaneswar, 24 ମାର୍ଚ୍ଚ (ହି.ସ.)

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ର ଆଉ ଏକ ଅଭିଯାନ । ରସୁଲଗଡ଼ ନିକଟ ମା’ କୋଚିଲେଇ ହାଟକୁ ସଂପୂର୍ଣ୍ଣ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ମାର୍କେଟ ଭାବେ ଘୋଷଣା କରାଯିବା ପରେ ଏବେ ଭିଏସ୍ ଏସ୍ ନଗର ଓ ଡମଣା ହାଟକୁ ମଧ୍ୟ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ମାର୍କେଟ ଭାବେ ଘୋଷଣା କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ଏନେଇ ଆଜି ଭିଏସ୍ଏସ୍ ନଗର ହାଟ କମିଟିର ସଭାପତି ଲକ୍ଷ୍ମଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି, ସଂପଦାକ କୃଷ୍ଣଚନ୍ଦ୍ର ସାହୁ, ବିଏମ୍ ସି ସହକାରୀ କମିଶନର ଶ୍ରୀ ଲୋକନାଥ ବେଜ୍ ପ୍ରମୁଖ ଉପସ୍ଥିତ ଥିଲେ ।

ହାଟ କମିଟି ସଭାକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ମାର୍କେଟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟାଗର ବିକଳ୍ପ ଭାବେ କାହାକୁ ଗ୍ରହଣ କରାଯିବ ଏବଂ ଏହାର ଦାମ୍ କେତେ ରହିବ, ଛୋଟ ଛୋଟ ବ୍ୟବସାୟୀମାନେ ବିଘଟନ ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ କ୍ରୟ କରିବାକୁ କେତେଦୂର ସମର୍ଥ ହେବେ, କେଉଁଟା ବିଘଟନ ଯୋଗ୍ୟ ଏବଂ କେଉଁଟା ବିଘଟନ ଯୋଗ୍ୟ ପ୍ଲାଷ୍ଟିକ୍ ନୁହେଁ, ତାହା କିପରି ଜାଣିବେ ଇତ୍ୟାଦି ଇତ୍ୟାଦିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା ।

ଏକକ ବ୍ୟବହାର ପ୍ଲାଷ୍ଟିକ୍ ବଦଳରେ ବିଘଟନ ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ ବଜାରେ ବହୁଳ ପରିମାଣରେ ଉପଲବ୍ଧ ହେଉଛି । ହାଟରେ ଯେଉଁମାନେ ଏକକ ବ୍ୟବହାର ପ୍ଲାଷ୍ଟିକ ବିକ୍ରି କରୁଛନ୍ତି, ସେମାନଙ୍କୁ ସୁଲଭ ମୂଲ୍ୟରେ ତଥା ଏକକ ବ୍ୟବହାର ପ୍ଲାଷ୍ଟିକ୍ ସହିତ ପ୍ରାୟ ସମାନ ଦରରେ ପ୍ରଚୁର ପରିମାଣରେ ବିଘଟନ ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ ଯୋଗାଇ ଦିଆଯିବ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି । ସମଗ୍ର ଦେଶରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାନ୍ ହେବାପରେ ବିଘଟନ ଯୋଗ୍ୟ ପ୍ଲାଷ୍ଟିକ ବ୍ୟାପକ ପରିମାଣରେ ମିଳୁଛି ବୋଲି କୁହାଯାଇଛି । ତେବେ କେଉଁଟା ଅସଲି ଓ କେଉଁଟା ନକଲି ଏକକ ବ୍ୟବହାର ପ୍ଲାଷ୍ଟିକ, ତାହା ଜାଣିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଓ୍ୱିଲ୍ ଆକ୍ସନ ଭିଜନ ଫର୍ ଏନଭାଇରନମେଣ୍ଟ ପକ୍ଷରୁ ସାର୍ଥକ ଶଙ୍କର ଭଗତ, ବିଏମ୍ ସିର ସାଇନ୍ ଟିମ୍, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଭିଏସ୍ଏସ୍ ନଗର ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ । ଏପରିକି ପରୀକ୍ଷା କରି ମଧ୍ୟ ଦେଖାଇ ଦେଇଥିଲେ ।

ପରେ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତିଙ୍କ ସହ ବିଏମ୍ ସି ସାଇନ୍ ଟିମ୍, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଭିଏସ୍ଏସ୍ ନଗର ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ମିଳିତ ଭାବେ ହାଟ ଭିତରେ ବୁଲି ସମସ୍ତ ବ୍ୟବସାୟୀଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ପାଇଁ ବୁଝାଇଥିଲେ ।

ବିଏମ୍ ସିର ଏହି କାର୍ଯ୍ୟକ୍ରମକୁ ବିଏସ୍ଏସ୍ ନଗର ବ୍ୟବସାୟୀ ସଂଘ ସ୍ୱାଗତ କରିଛି । ଏଥିପାଇଁ ସେମାନେ ସମସ୍ତ ପ୍ରକାର ସହଯୋଗ କରିବା ସହ ଆଗାମୀ ଦିନରେ ଏକକ ବ୍ୟବହାର ପଲିଥିନିକୁ ସଂପୂର୍ଣ୍ଣ ରୂପେ ନିଷେଧ କରାଯିବ ବୋଲି କହିଛନ୍ତି । ତେବେ ହାଟକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ 15 ଦିନ ସମୟ ଦେବାକୁ ଅନୁରୋଧ କରିଛି କମିଟି । ଏହି 15 ଦିନ ମାର୍କେଟରେ ଆଇଇସି କାର୍ଯ୍ୟ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande