ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅବ୍ୟବସ୍ଥା
ଚମ୍ପୁଆ,୨୪ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅବ୍ୟବସ୍ଥା ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଖବର ଅନୁସାରେ, ଚମ୍ପୁଆ ବ୍ଲକ ଶିକ୍ଷା ବିଭାଗ ଦ୍ୱାରା ଗତ ୨୩ତାରିଖ
ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅବ୍ୟବସ୍ଥା


ଚମ୍ପୁଆ,୨୪ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅବ୍ୟବସ୍ଥା ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଖବର ଅନୁସାରେ, ଚମ୍ପୁଆ ବ୍ଲକ ଶିକ୍ଷା ବିଭାଗ ଦ୍ୱାରା ଗତ ୨୩ତାରିଖ ଦିନ ଚମ୍ପୁଆ ବ୍ଲକସ୍ତରୀୟ ସାଧାରଣଜ୍ଞାନ ପ୍ରତିଯୋଗିତା ବ୍ରହ୍ମପୁର କରଞ୍ଜିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ସକାଳ ଆଠଟା ସମୟରେ ରିପୋର୍ଟିଂ ଏବଂ ନଅଟା ସମୟରୁ ପରୀକ୍ଷା ହେବା ନିମନ୍ତେ ସୂଚନା ପ୍ରଦାନ କରାଯାଇଥିଲା। ସମସ୍ତ ଅଭିଭାବକ ନିଜ ନିଜ ପିଲାଙ୍କୁ ନେଇ ସକାଳ ଆଠଟାବେଳେ ବିଦ୍ୟାଳୟରେ ପହଂଚିଥିବାବେଳେ ଶିକ୍ଷକମାନେ ମଧ୍ୟ ବିଦ୍ୟାଳୟରେ ଉପସ୍ଥିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା, ସମ୍ମାନୀତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆର୍ସିସି ସୁମିତ ତ୍ରିପାଠୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ନାଏକ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ, କରଞ୍ଜିଆ ସରପଂଚ ସୁପ୍ରିୟା ମୁଣ୍ଡା, ପଂଚାୟତ ସମିତି ସଭ୍ୟ ଚନ୍ଦ୍ର ମୋହନ ନାଏକ ପ୍ରମୁଖ ଯୋଗଦେବା ନିମନ୍ତେ ପୂର୍ବ ପ୍ରସ୍ତୁତି ରହିଥିବାବେଳେ ପରୀକ୍ଷା ଶୁଭାରମ୍ଭ ନିମନ୍ତେ ଦୀର୍ଘ ଦୁଇଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି କୌଣସି ଶିକ୍ଷା ଅଧିକାରୀଙ୍କର ଦେଖା ମିଳିନଥିଲା। ଏମିତିକି କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ସିଆର୍ସିସିଙ୍କର ମଧ୍ୟ ବିଦ୍ୟାଳୟରେ ପାଦ ପଡ଼ିନଥିଲା। ତେବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆର୍ସିସି ସୁମିତ ତ୍ରିପାଠୀ ବିଦ୍ୟାଳୟରେ ଉପସ୍ଥିତ ଥାଇ ମଧ୍ୟ କାର୍ଯ୍ୟାଳୟ ଭିତରୁ ବାହାରକୁ ବାହାରି ନଥିବା ସହିତ ବ୍ଲକ ଶିକ୍ଷା ଅଧିକାରୀ ନଆସିଲେ କିଛି ହେବନାହିଁ କହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ନଥିଲେ କି ପିଲାଙ୍କ ପାଇଁ କୌଣସି ଜଳଖିଆ ବ୍ୟବସ୍ଥା ମଧ୍ୟ କରି ନଥିଲେ। ଫଳରେ ଛାତ୍ର ଛାତ୍ରୀମାନେ ଦୀର୍ଘ ସମୟଧରି ଭୋକ ଓପାସରେ ପରୀକ୍ଷା ଦେବା ପାଇଁ ଅଧିକାରୀଙ୍କୁ ଅପେକ୍ଷା କରିଥିବାବେଳେ ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପ୍ରାୟ ଦଶଟା ତିରିଶି ମିନିଟ ବେଳକୁ ଜଣେ ଜଣେ ଅଧିକାରୀ ଆସି ପହଂଚିବା ପରେ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ତେବେ ଅଧିକାରୀମାନେ ଛାତ୍ର ଛାତ୍ରୀଙ୍କୁ ଆଠଟାବେଳୁ ଡାକି ଦେଇ ଦୀର୍ଘ ସମୟ ଧରି କାହିଁକି କେହି ଆସିନଥିଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଘର ପଛପଟେ ଯଦି ଶିକ୍ଷା ଅଧିକାରୀଙ୍କ ଏହିପରି ମନମାନି ବେପରୁଆ କାର୍ଯ୍ୟ ବ୍ୟବସ୍ଥା ତେବେ ଅନ୍ୟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା କଣ ହେଉଥିବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିଲା। ଅନ୍ୟପକ୍ଷେ ବିଦ୍ୟାଳୟରେ ପରୀକ୍ଷା ବିଳମ୍ବ ହେତୁ ଛାତ୍ର, ଛାତ୍ରୀ ଭୋକ ଉପାସରେ ଆଉଟୁ ପାଉଟୁ ହୋଇ ରହିଥିବା ବେଳେ ବିଭାଗ ପକ୍ଷରୁ କରାଯାଇଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ମଧ୍ୟ ବିଳମ୍ବ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଅଭିଭାବକ, ଶିକ୍ଷକ ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥିବାବେଳେ ସେଥିରେ ମଧ୍ୟ ଅବ୍ୟବସ୍ଥା ରହିଥିବା ଆଲୋଚନାର ବିଷୟ ପାଲଟିଥିଲା। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ସିଆରସିସିଙ୍କୁ ପଚାରିବାରୁ ବିଳମ୍ବ ଜନିତ ଅବ୍ୟବସ୍ଥାକୁ ଶିକାର କରିଥିବାବେଳେ ମୁଁ ଅନୁପସ୍ଥିତ ଥିବାରୁ ଅଧିକ କିଛି ଜାଣି ନାହିଁ ବୋଲି କହିଥିଲେ। ତେଣୁ ଏହା ଉପରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande