

କନ୍ଧମାଳ, ୨୪ ମାର୍ଚ୍ଚ (ହି.ସ.)- କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ୨୦୨୩ ମସିହା ଅଗଷ୍ଟ ମାସ ୧୭ ତାରିଖରୁ ଜିଲ୍ଲା ଇ- ପାଠାଗାର ସହ ସଂଲଗ୍ନ ଏଚ ଆର ଡି ସି ବିଲ୍ଡିଙ୍ଗରେ ପ୍ରତିଷ୍ଠିତ ହୋଇଛି ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ । ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ୱାରା ପରିଚାଳିତ ହେଉଛି ଏହି କୋଚିଂ ସେଣ୍ଟର୍ । ସୋମବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାପାଳ ବେଦଭୁଷଣ କୋଚିଂ ସେଣ୍ଟର୍ ପରିଦର୍ଶନରେ ଆସି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ମୁଖ୍ୟତଃ ଚଳିତ ବର୍ଷ ଅଳ୍ପଦିନ ମଧ୍ୟରେ ହେବାକୁ ଥିବା ଭାରତୀୟ ତଥା ଓଡ଼ିଶା ପ୍ରଶାସନିକ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କୌଶଳ ଓ ଟେଷ୍ଟ ସିରିଜ ନିରନ୍ତର ଅଭ୍ୟାସ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଲାଙ୍କୁ ପ୍ରସ୍ତୁତି ସହ ବ୍ୟକ୍ତିଗତ ତ୍ରୁଟି ସଂଶୋଧନର ସୂତ୍ର ଓ ନିଜ ପରୀକ୍ଷା ସମୟର ଅଭିଜ୍ଞତା ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଆକାଂକ୍ଷିତ ପ୍ରଶ୍ନର ସହଜ ସରଳ ସମାଧାନ ବତାଇଥିଲେ। ଜିଲ୍ଲାକୁ ଆସିବା ଦିନଠାରୁ ଇ - ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ଜିଲ୍ଲପାଳ ଶ୍ରୀ ବେଦଭୂଷଣ। ବିଭିନ୍ନ ସମୟରେ ନିଜେ ଆସିବା ସହ ଜିଲ୍ଲାକୁ ଆସୁଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପରିଦର୍ଶନ ଓ ଛାତ୍ର ଛାତ୍ରୀଙ୍କ ସହ ପ୍ରେରଣାଦାୟୀ କ୍ଲାସ ପ୍ରଦାନରେ ଉଲ୍ଲେଖଯୋଗ୍ୟ ଭୂମିକା ସୃଷ୍ଟି କରିଛନ୍ତି। ତତ୍ସହିତ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଖଜୁରୀପଡା ବ୍ଲକ୍ ଉନ୍ନୟନ ଅଧିକାରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଫୁଲବାଣୀ କୃଷି ବିଭାଗ ପରିସଂଖ୍ୟାନ ସହାୟକ ଦୀପକ ରଞ୍ଜନ ପାଢ଼ୀ ନିଜ ଅବସର ସମୟରେ କୋଚିଂରେ ପାଠପଢ଼ାଇ ଯୁବପିଢ଼ିଙ୍କୁ ସାହାଯ୍ୟ ଓ ଉତ୍ସାହିତ କହିଛନ୍ତି। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ସହ କ୍ୟାରିୟର କାଉନସେଲିଂ ଓ ମେଣ୍ଟରଶିପ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯିବ ବୋଲି ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ପାତ୍ର କହିଛନ୍ତି। ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ଓ ନିୟମିତ ପରିଦର୍ଶନ ଅନେକ ଛାତ୍ର ଛାତ୍ରୀଙ୍କୁ ପାଠାଗାର ଓ କୋଚିଂ ପ୍ରତି ଆକୃଷ୍ଟ କରିବା ସହ ସଫଳତାର ହାରକୁ ତ୍ୱରାନ୍ୱିତ କରିପାରିଛି ବୋଲି ଇ - ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ପରିଚାଳନା ଦାୟିତ୍ୱରେ ଥିବା ଶିବ ସୁନ୍ଦର ସାହୁ ମତବ୍ୟକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ