
କେନ୍ଦ୍ରାପଡା, ୨୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ବାରଡାଙ୍ଗ ପ୍ରାଥମିକ କୃଷି ସମବାୟ ସମିତିରେ ଦୀର୍ଘଦିନ ହେଲା ଟାର୍ଗେଟ୍ ନଥିବାରୁ ପ୍ରାୟ ଶତାଧିକ ଚାଷୀ ସେମାନଙ୍କର ଧାନ ବିକ୍ରି କରିପାରୁନାହାଁନ୍ତି ଏବଂ କେତେଜଣ ଚାଷୀଙ୍କର ଟୋକନ୍ ଅବଧି ସରିଯାଇଛି ଏବଂ ଏହା ସହିତ ବାରଡାଙ୍ଗ ସମିତିରେ ଧାନ ଉଠାଇବା ପାଇଁ ନିଯୁକ୍ତି ପାଇଥିବା ମିଲର୍ସମାନେ ମଣ୍ଡିରୁ ଧାନ ନ ଉଠେଇବାରୁ ହଜାର ହଜାର ବସ୍ତା ଧାନ ରାସ୍ତାକଡରେ ଓ ମଣ୍ଡି ପରିସରରେ ପଡିରହିଛି । ତୁହାକୁ ତୁହା ବର୍ଷା ଉଠାଉଥିବା ବେଳେ ମିଲର୍ସମାନଙ୍କର ଖାମଖିଆଲି ନୀତି ଯୋଗୁ ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ଏ ନେଇ କୃଷି ସମବାୟ ସମିତିର ସଭାପତି ଶୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ମଣ୍ଡିକୁ ଧାନ ଉଠାଇବା ପାଇଁ ଟାର୍ଗେଟ୍ ଦେବାସହ ମଣ୍ଡିରୁ ଧାନ ଉଠାଇବା ଏବଂ ଟୋକନ୍ ଅବଧି ସରିଯାଇଥିବାକୁ ନୂତନ ପଞ୍ଜିକରଣ କରିବା ପାଇଁ ଦାବି କରିଛନ୍ତି ।
ଏହି ଦାବିପତ୍ର ପ୍ରଦାନ ସମୟରେ ମାୟାଧର ନାଉରୀ, ମଦନ ମୋହନ ନନ୍ଦ, ଶାରଦା ପ୍ରସାଦ ଦାସଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି