
ଝାରସୁଗୁଡ଼ା, ୨୪ ମାର୍ଚ୍ଚ (ହି.ସ.)- ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲର ୨୮ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଆଜି ଧୁମଧାମରେ ପାଳିତ ହୋଇଯାଇଛି। ଡିଏଭି କଲେଜ ମ୍ୟାନେଜିଙ୍ଗ କମିଟି ସମ୍ପାଦକ ଓ ସ୍କୁଲ ମ୍ୟାନେଜିଙ୍ଗ କମିଟି ଚେୟାରମ୍ୟାନ ଡ଼. ମହେଶ ଚୋପ୍ରା, ଓଡ଼ିଶା ଡିଏଭି ବିଦ୍ୟାଳୟ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. କେଶବ ଚନ୍ଦ୍ର ଶତପଥୀ ଓ ଜୋନ-ସିର ଆଞ୍ଚଳିକ ଅଫିସର ଡ଼. ସୁଜାତା ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ସଭାପତିତ୍ୱ କରିଥିଲେ।
ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳତା ପାଇଁ ଦୃଢ଼ ସଂକଳ୍ପ, ସକାରାତ୍ମକ ଭାବନା ଓ ଲକ୍ଷ୍ୟନିଷ୍ଠାର ମୂଲ୍ୟ ବିଷୟରେ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇ ୧୧୧ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଝାରସୁଗୁଡ଼ା ବ୍ଲଡ଼ ବ୍ୟାଙ୍କ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନଙ୍କ ନିୟନ୍ତ୍ରଣରେ ଏହା ସଫଳତାର ସହ ସମ୍ପନ୍ନ ହୋଇଥିଲା। ପ୍ରତିଷ୍ଠା ଦିବସ ପର୍ବରେ ପଞ୍ଚକୁଣ୍ଡୀୟ ହୋମଯଜ୍ଞ, ବୈଦିକ ଚର୍ଚ୍ଚା ଓ ଆଧ୍ୟାତ୍ମିକ ପ୍ରବଚନ ଆୟୋଜିତ ହୋଇ ବିଶ୍ୱ ଶାନ୍ତି ଓ ଭାତୃତ୍ୱର ସନ୍ଦେଶ ପ୍ରସାର କରାଯାଇଥିଲା। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କର ଥିମ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ। ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ନାଟ୍ୟ ପ୍ରଦର୍ଶନ ଦର୍ଶକମାନଙ୍କ ମନମୁଗ୍ଧ କରିଥିଲା।
ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପତ୍ରିକା ‘ଡିଏଭି ସେମିନାରୀ’ ଉନ୍ମୋଚିତ ହୋଇଥିଲା। ସାଇ ପ୍ରିୟାଂଶୀ ଜେନାଙ୍କୁ ବେଷ୍ଟ କିଡ଼, ଆୟୁଷ ପଟେଲଙ୍କୁ ବେଷ୍ଟ ଭୋଲୁଣ୍ଟିଅର, ବେଦୁଲା ରିତିକା ଶଙ୍କରଙ୍କୁ ଲିଟରାରୀ, ଅନୁରାଗ ଝାଙ୍କୁ ଷ୍ଟୁଡେଣ୍ଟ ଅଫ ଦ ଇୟର ଓ ସବିତା ଭୂୟାଁଙ୍କୁ ବେଷ୍ଟ ସିଙ୍ଗର ପୁରସ୍କାର ପ୍ରଦାନ କରାଯାଇଥିଲା। ସମାରୋହରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ସମିତି ସଦସ୍ୟ, ଅଭିଭାବକ ଓ ଶୁଭେଚ୍ଛୁମାନଙ୍କ ସମାଗମ ଦେଖାଯାଇଥିଲା। ଶେଷରେ ନୀଳିମା ପଟେଲ ଧନ୍ୟବାଦ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ