
ମାଲକାନଗିରି, ୨୪ ମାର୍ଚ୍ଚ (ହି.ସ.)- କୁଡୁମୁଲୁଗୁମ୍ମା ସ୍ଥିତ ଆଦର୍ଶ ବୃହଦ୍ଦାକାର ବହୁମୂଖୀ ଆଦିବାସୀ ସମବାୟ ସମିତି ଲିଃ ତରଫରୁ ଏହାର ବାର୍ଷିକ ସାଧାରଣ ଅଧିବେଶନ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ରାଜେନ୍ଦ୍ର ଦଳପତି ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ସମ୍ମାନିତ ଅତିଥି ଭାବେ ଲ୍ୟାମ୍ପ ସଭାପତି ଗୋପି ପାଙ୍ଗୀ, ଆର ଏମ୍ ସି ସମ୍ପାଦକ ସଞୟ କୁମାର ଦାସ, ସରପଞ୍ଚ ମଙ୍ଗଳା ମାଢୀ, ଉପ ସଭାପତି ଡମୁଣୀ ମାଢୀ, ଲ୍ୟାମ୍ପ ସଦସ୍ୟ ସାଧୂ ହନ୍ତାଳ, ଅର୍ଜୁନ ଓଡି, ନୀଳକଣ୍ଠ ମୁଦୁଲି, ପୂର୍ବତନ ସଭାପତି ଡମୁ କିର୍ଷାନୀ, ସମାଜସେବୀ ତ୍ରିନାଥ ଶଗରୀଆ ଓ ମନ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ଏମ୍ ଡି ରମେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ । ପ୍ରଥମେ ଅତିଥି ମାନେ, ଆଦ୍ୟ ପୁଜ୍ୟ ଦେବ ଶ୍ରୀ ଗଣେଶଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପୁଜାର୍ଚ୍ଚନା କରିଥିଲେ ଏହାପରେ ଲ୍ୟାମ୍ପ ପରିଚାଳକ ଶ୍ରୀ ଦଳପତି ନିଜର ପ୍ରାରମ୍ଭିକ ଉଦବୋଧନ ରେ ପୁର୍ବ ବର୍ଷର ବିବରଣୀ ପଠନ ସହ ଚଳିତ ଆର୍ଥିକ ବର୍ଷର (୨୦୨୫-୨୬) ର କାର୍ଯ୍ୟଖସଡାର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ପାଙ୍ଗୀ ନିଜର ଅଭିଭାଷଣରେ ଗତ ଆର୍ଥିକ ବର୍ଷର ଆୟ-ବ୍ୟୟ ବିବରଣୀ ଏବଂ ଲାଭ-କ୍ଷତି ହିସାବ ଉପରେ ଆଲୋକପାତ ସହଅଡିଟ୍ ରିପୋର୍ଟ ଉପରେ ଚର୍ଚ୍ଚା ଓ ଅନୁମୋଦନ କରିଥିଲେ। ଅନ୍ୟ ବିଷୟ ଯଥା କୃଷି ଓ ଋଣ ସମ୍ବନ୍ଧୀୟ ଆଲୋଚନା, ଚଳିତ ଖରିଫ/ରବି ଋତୁ ପାଇଁ ଋଣ ଯୋଗାଣ ଯୋଜନା, କୃଷକମାନଙ୍କୁ ସାର ଏବଂ ବିହନ ବଣ୍ଟନ ସ୍ଥିତିର ସମିକ୍ଷା, ଋଣ ପରିଶୋଧ ଏବଂ ବକେୟା ଋଣ ଆଦାୟ ସମୀକ୍ଷା, ସାମଗ୍ରୀ କ୍ରୟ ଓ ବିକ୍ରୟ, ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା, ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା, ନୂତନ ସଭ୍ୟ ଗ୍ରହଣ ଏବଂ ସେୟାର ପୁଞ୍ଜି ବୃଦ୍ଧି ସମ୍ବନ୍ଧୀୟ, ସରକାରୀ ଯୋଜନା ସମ୍ବନ୍ଧୀୟ, ମିଶନ ଶକ୍ତି / ଓଡ଼ିଶା ଜୀବିକା ମିଶନ ସହ ସହଯୋଗ ଓ ଜୈବିକ ଚାଷ ପ୍ରୋତ୍ସାହନ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ଯାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଅନ୍ୟ ଅତିଥି ମାନେ ମଧ୍ୟ ସେମାନଙ୍କ ଅଭିଭାଷଣରେ ସମବାୟର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ପୂର୍ବତନ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାଉତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତଙ୍କ ସହଯୋଗ କାମନା କରି ସଭା ସା°ଗ ପାଇଁ ସଭାପତିଙ୍କୁ ଅନୁରୋଧ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ