
ଜୟପୁର, ୨୪ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ସ୍ଥିତ ନୂଆଗୁଡା ଗ୍ରାମରେ ଏମ.ଏସ. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁର ଏବଂ ନାବାର୍ଡର ମିଳିତ ଉଦ୍ୟମରେ ସ୍ମାର୍ଟ ଭିଲେଜ କେନ୍ଦ୍ରର ଶୁଭାରମ୍ଭ କରାଗଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ରିପୁ ଭତ୍ରା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଉଦଘାଟିତ କରିଥିଲେ। ସେ ସେହି ଗ୍ରାମ ମାଟିକୁ ଧନ୍ୟ ବୋଲି କହିଥିଲେ କାରଣ ସେହି ଗ୍ରାମରୁ କୃଷି ତଥା ବିହନ ସରଂକ୍ଷିକା ଡା. ରାଇମତି ଘିଉରିଆ ଆଜି ବିଶ୍ୱରେ ସୁପରିଚିତ। ତଥା ସ୍ମାର୍ଟ ଭିଲେଜ ଏକ ନୂତନ ସ୍ୱପ୍ନ, ନୂଆ ସହାୟକ ଭାବରେ ଚାଷୀମାନଙ୍କ ମଧ୍ୟରେ ଜ୍ଞାନ କୌଶଳ ଓ ଅନଲାଇନ କାର୍ଯ୍ୟକ୍ରମର ସହାୟକ ହେବ ବୋଲି କହିଥିଲେ। ସ୍ୱାମୀନାଥନ ପ୍ରତିଷ୍ଠାନ ଏବଂ ସରକାରଙ୍କ ଏହା ଏକ ପଦକ୍ଷେପ ବୋଲି କହିଥିଲେ। ତତ ସହିତ ଏଥିରେ ଯୋଗଦେଇଥିବା ବୈଜ୍ଞାନିକ, କୃଷି ଅଧିକାରୀ, ଅଗ୍ରଣୀ ଚାଷୀମାନେ ତଥା ଡା. ଦେବେନ୍ଦ୍ର ପ୍ରଧାନ, ଡ଼ିଡ଼ିଏମ ନାବାର୍ଡ, ସନ୍ତୋଷ କୁମାର ଦଳବେହେରା, ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ, କୋରାପୁଟ, ତାପସ ରୟ, ବ୍ଲକ କୃଷି ଅଧିକାରୀ, କୁନ୍ଦ୍ରା, ଡା. ରାମ ଜୟମ ଆଇସିଏଆର-ଆଇଆଇଏସଡବ୍ଲୁସି, ସୁନାବେଡା, ଲଲାଟେନ୍ଦୁ ମହାପାତ୍ର, ଆଦୌ, ଜୟପୁର, ତରୁଣୀସେନ ବିଶୋଇ, ଉପାଧ୍ୟକ୍ଷ ବଦ୍ରିନାରାୟଣ ଆଚାର୍ଯ୍ୟ, ବିଧାୟକ ପ୍ରତିନିଧି, କୁନ୍ଦ୍ରା ପ୍ରମୁଖ ଯୋଗଦେଇ ନୂତନ ଜ୍ଞାନକୌଶଳ ଭୂତଳ ଜଳ ପରିଚାଳନା, ଜୈବିକ କୃଷି, ଉନ୍ନତି ପ୍ରଣାଳୀର ଚାଷ ପଦ୍ଧତି, ଫସଲ ବିକ୍ରି କରିବାରେ ସହାୟକ ହେବ ତା'ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏମ.ଏସ. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡା ଅଧ୍ୟକ୍ଷତା କରି ପ୍ରଫେସର ସ୍ୱାମୀନାଥନଙ୍କର ଜୈବ ଗ୍ରାମ ତଥା ଚିର ସବୁଜ ବିପ୍ଲବର ସ୍ୱପ୍ନଟି ସାକାର କରିବାରେ ଏହି ସ୍ମାର୍ଟ ଭିଲେଜ କେନ୍ଦ୍ର ସହାୟକ ହେବ ବୋଲି କହିଥିଲେ। ଡା. ରାଇମତି ଘିଉରିଆ (ମାଣ୍ଡିଆ ରାଣୀ) ନିଜ ଗ୍ରାମକୁ ସ୍ମାର୍ଟ ଭିଲେଜ କରିବା ନିମନ୍ତେ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଏବଂ ସରକାରଙ୍କ ପ୍ରୟାସକୁ କୃତଜ୍ଞତା ଜଣାଇଥିଲେ। ୧୦୦ରୁ ଉର୍ଦ୍ଧ ଚାଷୀ ଭାଇଭଉଣୀ ସହିତ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି