
ବଲାଙ୍ଗୀର,୨୪ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ସମେତ ରାଜ୍ୟର ମହିଳା ନିର୍ଯ୍ୟାତନା ପ୍ରସଙ୍ଗ ବିଧାନସଭାରେ ଉଠିଛି। ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଏହି ପ୍ରସଙ୍ଗ ଉଠାଇ ମହିଳା ନିର୍ଯ୍ୟାତନା ରୋକିବାକୁ ସରକାର କ’ଣସବୁ ପଦକ୍ଷେପ ନେଉଛନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବିଧାୟକ ଶ୍ରୀ ସିଂଦେଓଙ୍କ ପ୍ରଶ୍ନରେ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଥିବା ଉତରରେ ରାଜ୍ୟରେ ମହିଳା ନିର୍ଯ୍ୟାତନା ମାମଲା ସଂଖ୍ୟା ବଢିଥିବା ତଥ୍ୟ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଗତ ୨୦୨୩ ମସିହାରେ ୭୨୮ ଗୋଟି ମହିଳା ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୭୦୫ଟି ମାମଲାର ତଦନ୍ତ କରାଯାଇ ୫୭୯ଟି ମାମଲାର ଚାର୍ଜସିଟ ଦାଖଲ କରାଯାଇଥିଲା। ସେହିପରି ୨୦୨୪ ମସିହାରେ ମୋଟ ୮୨୬ଟି ଅଭିଯୋଗରୁ ୭୧୧ଟି ମାମଲାର ତଦନ୍ତ କରି ୫୬୬ଟି ମାମଲାର ଚାର୍ଜସିଟ ଦାଖଲ କରାଯାଇଛି। ଠିକ୍ ସେହିପରି ୨୦୨୫ ମସିହାରେ ଅଭିଯୋଗ ବଢ଼ି ୧୦୨୧ରେ ପହଂଚିଛି। ସେଥିରୁ ୫୮୩ଟି ମାମଲାର ଚାର୍ଜସିଟ ଦାଖଲ କରାଯାଇଛି। ଜିଲ୍ଲାର ପୋଲିସ ମୁଖ୍ୟାଳୟରେ ମହିଳା ଓ ଶିଶୁ ନିର୍ଯ୍ୟାତନା ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିଛି। ବରିଷ୍ଠ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତକୁ ପରିଚାଳନା କରାଯାଉଛି ବୋଲି ଉତର ଦିଆଯାଇଛି। ଠିକ୍ ସେହିପରି ବଲାଙ୍ଗୀର ଜିଲ୍ଲାରେ ୫୪ଟି ଦୁଷ୍କର୍ମ, ୪ଟି ଦୁଷ୍କର୍ମ ଉଦ୍ୟମ, ୨୧ଟି ବିବାହ ପ୍ରତିଶୃତିଦେଇ ପ୍ରତାରଣା, ୯ଟି ଦୁର୍ବ୍ୟହାର, ୫୧ଟି ସର୍ବସାଧାରଣସ୍ଥାନରେ ଅପମାନିତ କରିବା, ୨୨୮ଟି ଅପହରଣ, ୧୩୧ଟି ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିବା ତଥ୍ୟ ଦିଆଯାଇଛି।
ସେହିପରି ଚଳିତ ୨୦୨୫-୨୬ ଆର୍ôଥକ ବର୍ଷରେ କେଉଁବିଭାଗର କେତେ ପ୍ରତିଶତ ଖର୍ଚ୍ଚ ହୋଇଛି ବୋଲି ବିଧାୟକ ସିଂଦେଓଙ୍କ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବିଭିନ୍ନ ବିଭାଗର ଖର୍ଚ୍ଚ ହୋଇଥିବା ତଥ୍ୟ ଦେଇଛନ୍ତି। ସେଥିରେ ଗତ ଜାନୁୟାରୀ ମାସ ୩୦ ତାରିଖ ସୁଦ୍ଧା ପବ୍ଲିକ ଏଂଟରପ୍ରାଇଜେସ ବିଭାଗରେ ୯୧% ବଜେଟ ଅର୍ଥ ଖର୍ଚ୍ଚ ହୋଇଥିବାବେଳେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ମାତ୍ର ୨୨% ଅର୍ଥ ଖର୍ଚ୍ଚ ହୋଇଛି। ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଖର୍ଚ୍ଚ ୫୦%କୁ ପହଂଚି ପାରିନି। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ମୋଟ ୮୩୧.୨୩ କୋଟି ଟଙ୍କାର ବଜେଟ ରହିଥିବାବେଳେ ମାତ୍ର ୧୮୪.୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପଂଚାୟତିରାଜ ଓ ପାନୀୟଜଳ ବିଭାଗରେ ମୋଟ ୨୯,୫୫୪ କୋଟି ଟଙ୍କାରୁ ମାତ୍ର ୧୧,୬୧୬ କୋଟି ଯାହାକି ବଜେଟ ଅନୁଦାନର ମାତ୍ର ୩୯% ରହିଛି। ଖୋଦ ମୁଖ୍ୟମନ୍ତ୍ରୀ ରଖିଥିବା ଜଳସମ୍ପଦ ବିଭାଗର୧୪,୬୯୯ କୋଟି ଟଙ୍କାର ବଜେଟରୁ ମାତ୍ର ୭,୧୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମୋଟ ବଜେଟ୍ର ୪୮.୩୬% ରହିଛି। ରାଜସ୍ୱ ବିଭାଗରେ ୬୪.୫୬%, ଗୃହବିଭାଗରେ ୬୩.୪୫%, ପୂର୍ତବିଭାଗରେ ୬୦%, ଆଇନ ବିଭାଗରେ ୬୧%, ଶୀଳ୍ପ ବିଭାଗରେ ମାତ୍ର ୩୮%, ଖାଦ୍ୟ ଓ ଯୋଗାଣ ବିଭାଗରେ ୮୦%, ଅର୍ଥବିଭାଗରେ ୫୭%, ଜଙ୍ଗଲ ଓ ପରିବେଶ ବିଭାଗରେ ୪୯%, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୬୮%, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୬୦%, ଗ୍ରାମ୍ୟ ଉନ୍ନୟନ ବିଭାଗରେ ୫୪%, ଶକ୍ତି ବିଭାଗରେ ୫୮%, ପର୍ଯ୍ୟଟନ ବିଭାଗରେ ୫୭%, ସମବାୟ ବିଭାଗରେ ୬୮%, ଉଚ୍ଚଶିକ୍ଷା ବିଭାଗରେ ୫୭%, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ୩୩% ଓ ମିଶନଶକ୍ତି ବିଭାଗରେ ୪୭% ଖର୍ଚ୍ଚ ହୋଇଥିବା ତଥ୍ୟ ଦିଆଯାଇଛି।
ସେପଟେ ବଲାଙ୍ଗୀରରେ ବଡ ଆଇଟି ଶୀଳ୍ପର କୌଣସି ପ୍ରସ୍ତାବ ଆସିନାହିଁ। କେବଳ ଆଇଟି ଇକୋସିଷ୍ଟମକୁ ମଜବୁତ କରିବାକୁ ଏକ ଆଇଟି ବିଜନେସ ଟାୱାର ନିର୍ମାଣର ପ୍ରସ୍ତାବ ରଖାଯାଇଛି ବୋଲି ବୈଷୟିକ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଉତର ରଖିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ