
କନ୍ଧମାଳ, ୨୪ ମାର୍ଚ୍ଚ (ହି.ସ.)- କନ୍ଧମାଳ ପୋଲିସର ବଡ ସଫଳତା l କନ୍ଧମାଳ ଏସପି ହରିଶ୍ ବିଶି ଓ ବ୍ରହ୍ମପୁର ଆଇଜିଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା କାର୍ଯ୍ୟଦକ୍ଷତା ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଅନେକ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ କ୍ୟାଡ଼ର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଆଉ ଏବେ ଶୁକ୍ରୁ ଭଳି ଜଣେ ମାଓ ନେତା କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହୋଇଛି l ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ନିଶ୍ଚିତ ହୋଇଯାଇଛି l ରହି ଯାଇଥିବା ଆଉ କିଛି ସଦସ୍ୟ ମଧ୍ୟ ଦୁଇ ଦିନ ମଧ୍ୟରେ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି l ଗତ ଦୁଇ ଦିନ ତଳେ କମ୍ବିଂ ଅପରେସନ ବେଳେ ବ୍ରାହ୍ମଣୀଗାଁ ପୋଲିସ ଥାନା ଅନ୍ତର୍ଗତ କାଟିଙ୍ଗl ପଞ୍ଚାୟତର ପଣସପଦର ଜଙ୍ଗଲରେ ଥିବା ମାଓ କ୍ଯାମ୍ପ ଧ୍ବସ୍ତ କରିବା ସହ ବନ୍ଧୁକ କାରଖାନା ଜବତ କରିଥିଲା l ଜିଲ୍ଲାରେ ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶରେ କମ୍ବିଂ ଅପରେସନକୁ ଜୋରଦାର କରାଯିବା ସହ ଦେଖିବା ମାତ୍ରେ ମାଓବାଦୀଙ୍କୁ ଗୁଳି କରି ମାରିବା ପାଇଁ ପୋଲିସ ଓ ସୁରକ୍ଷା କର୍ମୀ ପଣ କରିଥିଲେ l ତେବେ ଶୁକ୍ରୁର ଆତ୍ମସମର୍ପଣ ପରେ କନ୍ଧମାଳ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ବାଟ ସଫା ହୋଇଯାଇଛି କହିଲେ ଭୁଲ ହେବ ନାହିଁ ବୋଲି କନ୍ଧମାଳ ଏସପି ଶ୍ରୀ ହରିଶ ବିଶି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ