
ଝାରସୁଗୁଡ଼ା, ୨୪ ମାର୍ଚ୍ଚ (ହି.ସ.)- ଜିଲ୍ଲାର ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ଏକ 'ଜବ୍ ଡ୍ରାଇଭ୍' ବା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡି ଏମ ଏଫ କନଫରେନ୍ସ ହଲ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଶିକ୍ଷିତ ଯୁବକଯୁବତୀ ଯୋଗ ଦେଇଥିଲେ।
ଆଜିର ଏହି ନିଯୁକ୍ତି ମେଳାରେ ମୋଟ ୫ଟି ପ୍ରତିଷ୍ଠିତ କମ୍ପାନୀ ଅଂଶଗ୍ରହଣ କରି ପ୍ରାର୍ଥୀମାନଙ୍କର ଯୋଗ୍ୟତା ଭିତ୍ତିରେ ସାକ୍ଷାତକାର ଗ୍ରହଣ କରିଥିଲେ। ତଥ୍ୟ ଅନୁଯାୟୀ, ଦିନତମାମ ଚାଲିଥିବା ଏହି ପ୍ରକ୍ରିୟାରେ ସମୁଦାୟ ୧୧୬ ଜଣ ଆଶାୟୀ ପ୍ରାର୍ଥୀ ପହଞ୍ଚି ନିଜର ପଞ୍ଜିକରଣ କରିବା ସହ ବିଭିନ୍ନ ପଦବୀ ପାଇଁ ସାକ୍ଷାତକାର ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୩୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ କମ୍ପାନୀଗୁଡ଼ିକ ପକ୍ଷରୁ ତାଲିକାଭୁକ୍ତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ